
କଟକ(ସଂଜୟ ଶତପଥୀ): ଚାଷୀଙ୍କ ହୋସ୍ ଉଡାଇଛି ଲଘୁଚାପଜନିତବର୍ଷା।କଟକ ଜିଲ୍ଲାର ପ୍ରାୟ ସବୁ ବ୍ଲକରେ ଶୁକ୍ରବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହି ପୂର୍ବାହ୍ନ ୧୦ଟାରୁ ବର୍ଷା ଆରମ୍ଭ ହୋଇଥିଲା। ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ବିଲରେ କେଉଁଠି କଳେଇ ପକେଇଛି ତ କେଉଁଠି ଖଳାରେ ଧାନ ଗଦା କରିଛି । ବର୍ଷାରେ ଧାନ ଗଦା, କଳେଇ, ବେଙ୍ଗଳା ଭିଜି ବର୍ଷକର ଫସଲ ଉଜୁଡ଼ିଯିବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।
ଅନ୍ୟପକ୍ଷରେ କେତେକ ସ୍ଥାନରେ ଆଗୁଆ ଧାନ ଫସଲ ଅମଳ କରି ରଖିଥିବା ଚାଷୀ ମଣ୍ଡି ଖୋଲି ନ ଥିବାରୁ ଅଭାବୀ ବିକ୍ରି କରିବାକୁ ଚିନ୍ତା କଲାଣି। ବାହାର ବ୍ୟବସାୟୀମାନେ ଏଥିରୁ ଫାଇଦା ଉଠାଉଛନ୍ତି। ସେମାନେ କୁଇଣ୍ଟାଲ ପିଛା ୧୭୦୦/୧୮୦୦ ଟଙ୍କାରେ ଚାଷୀଙ୍କଠାରୁ ଧାନ କିଣୁଛନ୍ତି। ସରକାର ଏଫ୍ଏକ୍ୟୁମାନର ଧାନ ମଣ୍ଡିରେ ନେବାକୁ ନିଷ୍ପତ୍ତି ନେଇଥିବାରୁ ଚାଷୀ ନିଜ ଧାନ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି। ସରକାର ନିଷ୍ପତ୍ତି କୋହଳ କରିବାକୁ ଚାଷୀମାନଙ୍କ ଦାବି, ସରକାର କେତେଦୂର ବିଚାରକୁ ଦେବେ ସମୟ କହିବ।