ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ବାସ୍ତବ ବ୍ୟୁରୋ : ପରଲୋକରେ କଂଗ୍ରେସର ବରିଷ୍ଠ ନେତା, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରସିଦ୍ଧ ଅର୍ଥନୀତିଜ୍ଞ ମନମୋହନ ସିଂ । ଆଜି ଅର୍ଥାତ ଗୁରୁବାର(ଡିସେମ୍ବର ୨୬) ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀ ଏମ୍ସର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ୯୨ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳର ବରିଷ୍ଠ ନେତାମାନେ ଶୋକ ପ୍ରକାଶ କରିଛନ୍ତି । 

ମନମୋହନ ସିଂ ୨୦୦୪ରୁ ୨୦୧୪ ଯାଏ ୧୦ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଚଳିତ ବର୍ଷ ସେ ରାଜ୍ୟସଭାରୁ ଅବସର ନେଇଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀ ସିଂ ରାଜନୀତିରୁ ଦୂରେଇ ରହିଥିଲେ। ୨୦୨୪ରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନଥିଲା। ଜାନୁଆରୀ ୨୦୨୪ ରେ ତାଙ୍କ ଝିଅଙ୍କର ପୁସ୍ତକ ଉନ୍ମୋଚନ ଉତ୍ସବରେ ଶେଷ ଥର ପାଇଁ ତାଙ୍କୁ ଦେଖିବାକୁ ମିଳିଥିଲା।

 ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂ ଦେଶର ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଅନ୍ତିମ ସମୟରେ ଶ୍ରୀ ସିଂଙ୍କ ପାଖରେ ତାଙ୍କ ପତ୍ନୀ ଗୁରୁଶରଣ କୌର ଓ ୩ ଝିଅ ଉପସ୍ଥିତ ଥିଲେ। 

ମନମୋହନ ସିଂ ଅବିଭକ୍ତ ଭାରତର ପଞ୍ଜାବ କ୍ଷେତ୍ରର ଗାହ (ବର୍ତ୍ତମାନର ପାକିସ୍ତାନରେ) ଗାଁରେ ୧୯୩୨ମସିହା ସେପ୍ଟେମ୍ବର ୨୬ରେ ଜନ୍ମଗ୍ରହଣ କରିଥିଲେ। ୧୯୪୮ ମସିହାରେ ଡକ୍ଟର ସିଂହ ପଞ୍ଜାବରୁ ପାସ୍‌ କରିବା ପରେ ତାଙ୍କ ଅଧ୍ୟୟନ ପଞ୍ଜାବରୁ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଏ ଲମ୍ବିଥିଲା। ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ସେ ୧୯୫୭ ମସିହାରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଡିଗ୍ରୀ ହାସଲ କରିଥିଲେ। ୧୯୭୧ ମସିହାରେ ଡକ୍ଟର ସିଂ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ଏହାପରେ ଅର୍ଥାତ ୧୯୭୨ ମସିହାରେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା। ସେ ଦେଶର ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଅର୍ଥାତ ଅର୍ଥମନ୍ତ୍ରଣାଳୟର ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଓ  ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ପଦରେ ରହିଥିଲେ। 

 ଡକ୍ଟର ସିଂ ନିଜର ପ୍ରଶାସିନିକ ଓ ରାଜନୀତିକ କ୍ୟାରିୟର ମଧ୍ୟରେ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ତାଙ୍କୁ ୧୯୮୭ରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ, ୧୯୯୫ରେ ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହାରଲାଲ ନେହରୁ ଜନ୍ମ ଶତବାର୍ଷିକୀ ପୁରସ୍କାର, ୧୯୯୩ ଓ ୧୯୯୪ରେ ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଏସିଆ ମନି ପୁରସ୍କାର, ୧୯୯୩ରେ ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ୟୁରୋମନି ପୁରସ୍କାର ମିଳିଥିଲା। 

ସୂଚନାନୁଯାୟୀ, ମନମୋହନ ସିଂଙ୍କ ବିୟୋଗ ନେଇ ପ୍ରଥମେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ଇନ୍‌ଷ୍ଟା ପୋଷ୍ଟ କରି ସୂଚନା ଦେଇଥିଲେ। ପରେ ପୋଷ୍ଟକୁ ହଟାଇ ଦିଆଯାଇଥିଲା।  ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବେଲାଗାଭିରୁ ଦିଲ୍ଲୀ ଫେରୁଛନ୍ତି। ସେପଟେ ଆସନ୍ତାକାଲି ବେଲଗାଭିରେ ଆୟୋଜିତ ହେବାକୁ ଥିବା ରାଲିକୁ ମଧ୍ୟ କଂଗ୍ରେସ ବାତିଲ କରିଛି। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦିଲ୍ଲୀ ଏମ୍ସରେ ଉପସ୍ଥିତ ଅଛନ୍ତି। ଏମ୍ସର ଭିତରେ ସୁରକ୍ଷା ପ୍ରୋଟୋକଲଗୁଡିକ ବଢ଼ାଇ ଦିଆଯାଇଛି। 

ସେୟାର କରନ୍ତୁ

Next Post

୩୦ ଜିଲ୍ଲା ପାଇଁ ପ୍ରଭାରୀ ମନ୍ତ୍ରୀ ନିଯୁକ୍ତ

Thu Dec 26 , 2024
ବାସ୍ତବ ବ୍ୟୁରୋ : ତୃଣମୂଳ ସ୍ତରରେ ସରକାରୀ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରି ବିକାଶ କାର୍ଯ୍ୟକୁ ଆଗେଇ ନେବା ଓ ଲୋକଙ୍କ ସମସ୍ୟାର ତ୍ୱରିତ୍ ସମାଧାନ ପାଇଁ ନିଜ ମନ୍ତ୍ରିପରିଷଦ ସହଯୋଗୀଙ୍କୁ ଆଜି ଦାୟିତ୍ୱ ଦେଇଛନ୍ତି ମୋହନ ମାଝୀ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ […]

You May Like

Pin It on Pinterest