ବାସ୍ତବ ବ୍ୟୁରୋ : ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ଦେଶର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ସମ୍ପତ୍ତି ଓ ଋଣକୁ ନେଇ ଦେଇଥିବା ସତ୍ୟପାଠକୁ ଆଧାର କରି ଏହି ରିପୋର୍ଟ ତିଆରି କରାଯାଇଛି। ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ୯୩୧କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ।

ଏଥିରେ ଅଋଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ୩୩୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଦେଶର ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ୫୧କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଧନୀ ମୁଖ୍ୟମନ୍ତ୍ରୀଙ୍କ ସୂଚୀର ତୃତୀୟ ସ୍ଥାନରେ ଅଛନ୍ତି। ଏହା ଛଡା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କର ୪୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ନିଜର ବାର୍ଷିକ ଆୟ ୨୪ ଲକ୍ଷ ଟଙ୍କାରୁ ବି ଅଧିକ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କର ମୋଟ ସମ୍ପତ୍ତି ୨୫.୩୩କୋଟି ଟଙ୍କାରୁ ଅଧିକ। ଏହା ଛଡା ତାଙ୍କର ବ୍ୟକ୍ତିଗତ ଆୟ ୨୨ଲକ୍ଷ ଟଙ୍କାରୁ ବି ଅଧିକ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ପତ୍ତିର ମୂଲ୍ୟ ୩ ମୁଖ୍ୟମନ୍ତ୍ରୀଙ୍କ ଭିତରେ ୨୨ ନମ୍ବରରେ ରହିଛି। ତାଙ୍କ ପାଖରେ ୧ କୋଟି ୯୭ ଲକ୍ଷ ଟଙ୍କା ରହିଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୋଟ ସମ୍ପତ୍ତି ୧କୋଟି ୫୪ଲକ୍ଷ ୯୪ ହଜାର ୫୪ଟଙ୍କା ହୋଇଥିବା ବେଳେ ତାଙ୍କ ବ୍ୟକ୍ତିଗତ ଆୟ ୧୩ଲକ୍ଷ ଟଙ୍କାରୁ ବି ଅଧିକ। ତାଙ୍କ ଛଡା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ମୋଟ ସମ୍ପତ୍ତି ୧କୋଟି ୪୬ଲକ୍ଷ ୫୬ ହଜାର ୬୬୬ ଟଙ୍କା ହୋଇଥିବା ବେଳେ ତାଙ୍କର ବ୍ୟକ୍ତିଗତ ଆୟ ୬ଲକ୍ଷ ଟଙ୍କାରୁ ଅଧିକ।

ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାତ୍ର ୧୫ଲକ୍ଷ ଟଙ୍କାର ସମ୍ପତ୍ତି ସହ ଭାରତର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ। ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ୫୫କୋଟି ଟଙ୍କାର ମୋଟ ସମ୍ପତ୍ତି ସହ ମମତାଙ୍କ ପରେ ଗରିବ ମୁଖ୍ୟମନ୍ତ୍ରୀ ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ୧.୧୮କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ସବୁଠୁ କମ ସମ୍ପତ୍ତି ସମ୍ପନ୍ନ ମୁଖ୍ୟମନ୍ତ୍ରୀ ବୋଲି ରିପୋର୍ଟରୁ ଜଣାପଡ଼ିଛି।
ବାର୍ଷିକ ଆୟକୁ ଦେଖିଲେ, ମୁଖ୍ୟମନ୍ତ୍ରୀମାନଙ୍କ ବାର୍ଷିକ ଆୟ ହାରାହାରି ୧୩ ଲକ୍ଷ ୬୪ ହଜାର ଟଙ୍କା ରହିଛି। ଯାହାକି ଭାରତର ମୁଣ୍ଡ ପିଛା ଆୟ ୧ ଲକ୍ଷ ୮୦ ହଜାର ଟଙ୍କା ତୁଳନାରେ ୭.୩ ଗୁଣ ଅଧିକ ରହିଥିବା ଦେଖାଯାଇଛି।
ଅଧିକ ଋଣ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଭିତରେ ୧ ନମ୍ବରରେ ରହିଛନ୍ତି- ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ। ପେମା ଖଣ୍ଡୁଙ୍କ ପାଖରେ ୩୩୨ କୋଟିର ସମ୍ପତ୍ତି ଥିଲେ ବି ୧୮୦ କୋଟି ଟଙ୍କା ଋଣ ରହିଛି। ସେହିଭଳି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପାଖରେ ୫୧ କୋଟି ଟଙ୍କାର ସମ୍ପତ୍ତି ଥିଲେ ବି ୨୩ କୋଟିର ଋଣ ରହିଛି।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାଖରେ ସର୍ବାଧିକ ୯୩୧ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ମାତ୍ର ୧୦ କୋଟି ଟଙ୍କାର ଋଣ ରହିଛି। ସେହିଭଳି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖରେ ୧ କୋଟି ୯୭ ଲକ୍ଷ ଟଙ୍କାର ସମ୍ପତ୍ତି ଥିଲେ ବି ୯୫ ଲକ୍ଷ ଟଙ୍କାର ଋଣ ରହିଛି।
ସବୁଠାରୁ ଅଧିକ ଅପରାଧିକ ମାମଲା ଥିବା ମୁଖ୍ୟମନ୍ତ୍ରୀଙ୍କ ଭିତରେ ୧ ନମ୍ବରରେ ଅଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ। ରେଡ୍ଡୀଙ୍କ ନାଁରେ ୮୯ଟି ମାମଲା ରହିଥିବାବେଳେ ଏଥିରୁ ୭୨ଟି ଗୁରୁତର ଅପରାଧ ରହିଛି। ଦ୍ବିତୀୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ନାଁରେ ୪୭ଟି ମାମଲା ଥିବାବେଳେ ୧୧ଟି ଗୁରୁତର ମାମଲା ରହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ କେବଳ ଗୋଟିଏ ମାମଲା ରହିଛି।



