ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାସ୍ତବ ବ୍ୟୁରୋ : ଆଜି ଭୁବନେଶ୍ୱରଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସନାତନ ପରମ୍ପରା ଅନୁଯାୟୀ, ଜୀବନକାଳ ମଧ୍ୟରେ କିଛି କିଛି ଧର୍ମସ୍ଥଳୀ ଦର୍ଶନ କରି ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ସମସ୍ତଙ୍କ ଇଚ୍ଛା ଥାଏ । କୌଣସି କାରଣ ବଶତଃ ଏହା ସମ୍ଭବ ହୋଇନଥାଏ । ଖୁସିର କଥା ଆପଣମାନଙ୍କ ପାଇଁ ବାବା ଭୋଲେନାଥ ଓ ସିରିଡି ସାଇଙ୍କ ଦରବାରକୁ ଡୋର ଲାଗିଛି ଏବଂ ଆପଣମାନେ ତାଙ୍କ ଦର୍ଶନ ପାଇଁ ଯାଉଛନ୍ତି । ନିଜର ଓ ନିଜ ପରିବାରର ମଙ୍ଗଳ କାମନା କରିବା ସହିତ ରାଜ୍ୟର ସମୃଦ୍ଧି ଓ ଉନ୍ନତି ପାଇଁ ମଧ୍ୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ । ଆପଣମାନେ ଯେପରି ଖୁସି ମନରେ ତୀର୍ଥଯାତ୍ରା କରିବାକୁ ଯାଉଛନ୍ତି, ସେହିଭଳି ସୁସ୍ଥ ଓ ନିରାପଦ ଭାବେ ତୀର୍ଥଯାତ୍ରା ସମ୍ପନ୍ନ କରି ଅଶେଷ ପୁଣ୍ୟ ଅର୍ଜନ କରି ଘରକୁ ଫେରନ୍ତୁ ।”

ଭୁବନେଶ୍ୱର ରେଳ ଷ୍ଟେସନଠାରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକ ମହାରାଷ୍ଟ୍ରର ପ୍ରସିଦ୍ଧ ତୀର୍ଥସ୍ଥଳୀ ସିରିଡି ଓ ନାସିକ ଦର୍ଶନ ପାଇଁ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପାରମ୍ପରିକ ପୂଜା ସହିତ ପତକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥି ସହିତ ଟ୍ରେନ ଭିତରେ ବୁଲି ବୁଲି ତୀର୍ଥଯାତ୍ରୀମାନଙ୍କୁ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ ।

କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ଉପସ୍ଥିତ ଥିଲେ । ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ଆଧ୍ୟାତ୍ମିକ ଓ ଧାର୍ମିକ ଆକାଂକ୍ଷା ପୂରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରାଯାଇଛି । ଚଳିତ ବର୍ଷ ରାଜ୍ୟର ୮୦୦୦ ବରିଷ୍ଠ ନାଗରିକଙ୍କ ପାଇଁ ୧୦ଟି ପର୍ଯ୍ୟାୟରେ ସିରିଡି, ନାସିକ,  କୋଲକତା ଦକ୍ଷିଣକାଳୀ, କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାୟଗଡା ଓ ବାଲେଶ୍ୱର ଷ୍ଟେସନରୁ ଦୁଇଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଟ୍ରେନ ଚଳାଚଳ କରିବ ।

ସେୟାର କରନ୍ତୁ

Next Post

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଥରାଇବ ଶୀତ

Sat Jan 18 , 2025
ବାସ୍ତବ ବ୍ୟୁରୋ: ଆଇଏମଡି ପୂର୍ବାନୁମାନ କରିଛି, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଟୁଇନ୍ ସିଟି କଟକ ଏବଂ ଭୁବନେଶ୍ୱରର ରାତିର ସର୍ବନିମ୍ନ ତାପମାତ୍ରା ୧୧ ରୁ ୧୩ ଡିଗ୍ରି ସେଲସିୟସ ମଧ୍ୟରେ ରହିବ । ଆସନ୍ତା କିଛି ଦିନ ଧରି ଏଭଳି ସ୍ଥିତି ଦୁଇ ସହରରେ ଜାରି ରହିବ ବୋଲି ଆଶା କରାଯାଉଛି। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ରାତିର ସର୍ବନିମ୍ନ ତାପମାତ୍ରା ୬ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ସେହିପରି […]

You May Like

Pin It on Pinterest