ବାସ୍ତବ ବ୍ୟୁରୋ : ଆଜି ଠାରୁ ଉତ୍ତରାଖଣ୍ଡରେ ଲାଗୁ ହେଲା ଏକକ ନାଗରିକ ସଂହିତା ବା ୟୁସିସି । ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିଛି। ପୂରା ଉତ୍ତରାଖଣ୍ଡରେ ଏହି ଆଇନ କାର୍ଯ୍ୟକାରୀ ହେବ। ଉତ୍ତରାଖଣ୍ଡ ବାହାରେ ରହୁଥିବା ରାଜ୍ୟର ଲୋକ ମଧ୍ୟ ଏହାକୁ ମାନିବାକୁ ବାଧ୍ୟ। ଅନୁସୂଚିତ ଜନଜାତି ଓ ସଂରକ୍ଷିତ ବର୍ଗର ଲୋକ ଓ ସଂପ୍ରଦାୟକଙ୍କ କ୍ଷେତ୍ରରେ ୟୁସିସି ଲାଗୁ ହେବ ନାହିଁ।
ବ୍ୟକ୍ତିଗତ ଆଇନଗୁଡ଼ିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ଧର୍ମ ଓ ଜାତି ନିର୍ବିଶେଷରେ ଗୋଟିଏ ପ୍ରକାରର ନିୟମରେ ବାନ୍ଧି ହୋଇ ରହିବାକୁ ୟୁସିସିରେ ବ୍ୟବସ୍ଥା ରହିଛି। ବାହାଘର, ପୋଷ୍ୟଗ୍ରହଣ, ବିବାହ ବିଚ୍ଛେଦ ଓ ପରମ୍ପରା ସମସ୍ତଙ୍କ ପାଇଁ ସମାନ ରଖିବାକୁ ବିଲ୍ ଜରିଆରେ କୁହାଯାଇଛି। କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ୟୁସିସି ଲାଗୁ କରି ନଥିଲେ ହେଁ ଉତ୍ତରାଖଣ୍ଡ ସରକାର ଏହାଗୁ ରାଜ୍ୟରେ ପ୍ରଣୟନ କରିଛନ୍ତି।
ସୂଚନାନୁଯାୟୀ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଧାମି ଘୋଷଣା କରିଥିଲେ ଯେ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ସେ ୟୁସିସି ଲାଗୁ କରିବେ। ନିର୍ବାଚନରେ ବିଜେପି ଜିତିବା ପରେ ଧାମି ୟୁସିସି ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିପାଇଁ ସେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଗୋଟିଏ ୫ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟି ୨.୩ ଲକ୍ଷ ନାଗରିକଙ୍କ ମତାମତ ଗ୍ରହଣ କରି ଗୋଟିଏ ଡ୍ରାଫ୍ଟ କୋଡ୍ ପ୍ରସ୍ତୁତ କରିଥିଲା।
୨୦୨୪ ଫେବୃଆରୀ ୨ରେ କମିଟି ପକ୍ଷରୁ ୭୪୦ ପୃଷ୍ଠାର ଡ୍ରାଫ୍ଟ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା। ଫେବୃଆରୀ ୪ରେ କମିଟି ଏହାକୁ ଅନୁମୋଦନ କରିଥିଲା। ଫେବୃଆରୀ ୬ରେ ସରକାର ଏହାକୁ ବିଧାନସଭାରେ ଆଗତ କରିଥିଲେ। ପରଦିନ ଏହା ପାରିତ ବି ହୋଇଯାଇଥିଲା। ରାଜ୍ୟପାଳ ଲେଫ୍ଟନାଣ୍ଟ(ଅବସରପ୍ରାପ୍ତ) ଗୁରମିତ ସିଂହ ଫେବୃଆରୀ ୨୮ରେ ଏହାକୁ ଅନୁମୋଦନ ଦେଇଥିବା ବେଳେ ମାର୍ଚ୍ଚ ୧୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା ଉପରେ ମୋହର ଲଗାଇଥିଲେ।



