ବାସ୍ତବ ବ୍ୟୁରୋ: ପାକିସ୍ତାନରେ ଏକ ଯାତ୍ରୀବାହୀ ଏକ୍ସପ୍ରେସକୁ ଅପହରଣ କରି ନେଇଛନ୍ତି ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର ସଶସ୍ତ୍ର ବିଦ୍ରୋହୀମାନେ । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସେନା ଅଧିକାରୀ ଓ ଯବାନ ଥିବା କୁହାଯାଉଛି । ଟ୍ରେନକୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ସେଥିରେ ଥିବା ୬ ସେନା ଅଧିକାରୀଙ୍କୁ ମାରିଦେଇଛନ୍ତି । ବିଏଲଏ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହି ଅପହରଣ ପାଇଁ ନିଜକୁ ଦାବି କରାଯାଇଛି ।
ସୂଚନାନୁଯାୟୀ, ବେଲୁଚିସ୍ତାନ ମୁକ୍ତି ବାହିନୀ ଗତ କିଛି ଦଶନ୍ଧି ହେଲା ବେଲୁଚିସ୍ତାନକୁ ପାକିସ୍ତାନଠାରୁ ମୁକ୍ତ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଏହି ବାହିନୀ ସଶସ୍ତ୍ର ସଂଗ୍ରାମ ଚଳାଇଛି । ମାତ୍ର ଏହି ବିଦ୍ରୋହକୁ ପାକିସ୍ତାନ ସେନା କଠୋର ଭାବେ ଦମନ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ବେଲୁଚିସ୍ତାନର ସାଧାରଣ ଜନତାଙ୍କୁ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି । ଅନେକ ଲୋକଙ୍କୁ ହତ୍ୟା କରାଯାଉଛି । ଏହା ସତ୍ତ୍ବେ ବିଏଲଏ ପାକିସ୍ତାନ ସେନା ଉପରେ ନିଜର ଆକ୍ରମଣ ଜାରି ରଖିଛି। ଆଜି କରାଯାଇଥିବା ଟ୍ରେନ ଅପହରଣ ଏହି ସଂଗ୍ରାମର ଏକ ଅଂଶ । ଟ୍ରେନରେ ପାକିସ୍ତାନୀ ସେନାର ଅନେକ ଲୋକ ଥିବାରୁ ଏହି ଅପହରଣ କରାଯାଇଛି ।
ବିଏଲଏ ପକ୍ଷରୁ ଗୋଟିଏ ବିବୃତି ମଧ୍ୟ ଜାରି କରାଯାଇଛି ଯେଉଁଥିରେ ସେମାନେ ଦାବି କରିଛନ୍ତି ଯେ ସେମାନେ ଟ୍ରେନରେ ଥିବା ମହିଳା, ଛୋଟ ପିଲା ଓ ବେଲୁଚି ଯାତ୍ରୀଙ୍କୁ ମୁକ୍ତ କରି ଦେଇଛନ୍ତି। ଟ୍ରେନରେ କେବଳ ପାକିସ୍ତାନର ବିଭିନ୍ନ ସୁରକ୍ଷା ଏଜେନ୍ସି ପାଇଁ କାମ କରୁଥିବା ସଦସ୍ୟ ରହିଛନ୍ତି। ଯଦି ସରକାରଙ୍କ ପକ୍ଷରୁ କୌଣସି ଅପରେସନ ଆରମ୍ଭ କରାଯିବ, ତା’ହେଲେ ଏହାର ଦୃଢ଼ ଜବାବ ଦିଆଯିବ। ଏଯାଏ ୬ ଜଣ ସେନା କର୍ମଚାରୀଙ୍କୁ ହତ୍ୟା କରାଯାଇଛି ଓ ଶତାଧିକ ଲୋକ ପଣବନ୍ଦୀ ହୋଇ ରହିଛନ୍ତି ବୋଲି ବିଏଲଏ କହିଛି।
ପାକିସ୍ତାନ ସରକାରଙ୍କୁ ବିଏଲଏ ପକ୍ଷରୁ ନରସଂହାରର ଧମକ ଦିଆଯିବା ସହ ସ୍ୱତନ୍ତ୍ର ବେଲୁଚିସ୍ତାନ ଗଠନ ପ୍ରକ୍ରିୟା ଉପରେ ମୋହର ମାରିବାକୁ ଦାବି କରିଛନ୍ତି। ସ୍ଥିତି ଅତ୍ୟନ୍ତ ଭୟଙ୍କର ଥିବା ବେଳେ ବେଲୁଚିସ୍ତାନ ସରକାର ଏମର୍ଜେନ୍ସି ଜାରି କରିଛନ୍ତି। ଅପହରଣ ଯୋଗୁ ଟ୍ରେନଟି ରେଳ ଧାରଣା ଉପରେ ରହିଛି। ସେଠାରେ ସୁରକ୍ଷାକର୍ମୀମାନେ ପହଞ୍ଚିଥିବା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିବା ଜଣାପଡ଼ିଛି।