
ବାସ୍ତବ ବ୍ୟୁରୋ: ମୌସୁମୀ ପ୍ରଭାବରେ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଗତ ୪ ଦିନ ଧରି ଲଗାଣ ବର୍ଷା ହେଉଛି । ବର୍ଷା ବିତ୍ପାତ ଯୋଗୁଁ ଆସାମ, ସିକ୍କିମ୍, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଓ ମଣିପୁର ଆଦି ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଲାଗି ରହିଛି ।
ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ସ୍ଥିତି ଉପୁଜିଛି । ୨୨ ଜିଲ୍ଲାର ୧୨୫୪ ଗାଁରେ ସାଢ଼େ ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଘର ଦ୍ବାର ସବୁଠି ପାଣି । ଜଳବନ୍ଦୀରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ବର୍ଷା ସହ ଭୂସ୍ଖଳନ ପାଇଁ ଆସାମରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ସହ ବାୟୁସେନା ଓ ସ୍ଥଳସେନା ନିୟୋଜିତ ଅଛନ୍ତି ।
ଅନ୍ୟପଟେ ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ପ୍ରାୟ ୧୫୦୦ ପର୍ଯ୍ୟଟକ ମଧ୍ୟ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ କରାଯାଉଛି। ଜୁନ୍ ୦୧, ୨୦୨୫ ସନ୍ଧ୍ୟାରେ ସିକ୍କିମର ଏକ ସେନା ଶିବିରରେ ଭୂସ୍ଖଳନ ଘଟି ଦୁଇ ଜଣ ସୈନିକଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଛଅ ଜଣ ସୈନିକ ମଧ୍ୟ ନିଖୋଜ ଅଛନ୍ତି। ଯାହାଙ୍କ ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି।



