ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ରାଶ ହେବା ପରେ ବିମାନଟି ବିଜେ ମେଡିକାଲ କଲେଜରେ ପିଟି ହୋଇଛି। ଫଳରେ ୨୦ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାଗ୍ରସ୍ତ ହେବାପରେ ମେଘାନୀନଗର ଅଞ୍ଚଳରେ କିଛିସମୟ ପାଇଁ ନିଆଁର ପିଣ୍ଡୁଳା ଦେଖିବାକୁ ମିଳିଥିଲା। ଏହି ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ଅଞ୍ଚଳକୁ ବ୍ୟାପୀ ଯାଇଥିଲା।
ଦୁର୍ଘଟଣା ସମୟରେ ବିମାନରେ କ୍ରୁ ସଦସ୍ୟ ଓ ପାଇଲଟଙ୍କ ସମେତ ୨୪୨ଜଣ ଯାତ୍ରୀ ଯାତ୍ରା କରୁଥିବା ଜଣାପଡ଼ିଛି। ୧୬୯ଜଣ ଭାରତୀୟ, ବ୍ରିଟେନର ୫୩ଜଣ ନାଗରିକ, ପର୍ତ୍ତୁଗାଲର ୭ଜଣ ନାଗରିକ ଏବଂ କାନାଡାର ଜଣେ ନାଗରିକ ଯାତ୍ରା କରୁଥିଲେ। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି।
ଦୁର୍ଘଟଣା ପରେ ପୁଲିସ-ପ୍ରଶାସନର ଟିମ୍ ତୁରନ୍ତ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଥିଲେ। ଫାୟର ବ୍ରିଗେଡ୍ ଏନ୍ଡିଆରଏଫ, ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ୯୦ ଯବାନ ମୁତୟନ ଅଛନ୍ତି ।
ଅନ୍ୟପଟେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଏୟାର ଇଣ୍ଡିଆ । ଯାତ୍ରୀଙ୍କ ବାବଦରେ କିଛି ଜାଣିବାକୁ ଚାହୁଥିଲେ ୧୮୦୦୫୬୯୧୪୪୪ ନମ୍ବରରେ ଯୋଗାଯୋଗ କରିପାରିବେ । ସୋସିଆଲ ମିଡିଆ ସାଇଟ୍ ଏକ୍ସ ହ୍ୟାଣ୍ଡେଲ୍ରେ ଏୟାର ପକ୍ଷରୁ କୁହାଯାଇଛି ଯେ, ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ବିମାନବନ୍ଦରରୁ ରନୱେ ୨୩ରୁ ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ ଅପରାହ୍ନ ୧.୩୯ରେ ଉଡ଼ିବା ଆରମ୍ଭ କରିଥିଲା। ଉଡ଼ିବାର କିଛି ସମୟ ମଧ୍ୟରେ ପାଇଲଟ ନିକଟସ୍ଥ ଏଟିସି(ଏୟାର ଟ୍ରାଫିକ କଣ୍ଟ୍ରୋଲ)କୁ ମେଡେ କଲ କରିଥିଲେ। ଯାହାକି ଏକ ବିପଦପୂର୍ଣ୍ଣ ସଙ୍କେତ ବୋଲି ଧରାଯା୍ଏ। ମେଡେ କଲ ପରେ ପାଇଲଟଙ୍କ ସହିତ ଏଟିସିର କୌଣସି ପ୍ରକାର ଯୋଗାଯୋଗ ହୋଇ ପାରି ନଥିଲା। କିଛି ସମୟ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର ଖବର ମିଳିଥିଲା।
ଦୁର୍ଘଟଣାଗ୍ରସ୍ତ ବିମାନକୁ କ୍ୟାପ୍ଟେନ ସୁମିତ ସବରୱାଲ ଚଲାଉଥିଲେ। ତାଙ୍କ ସହିତ ବିମାନ ଯାତ୍ରା ସମୟରେ ଫର୍ଷ୍ଟ ଅଫିସର କ୍ଲାଇବ କୁନ୍ଦର ଥିଲେ। ସୁମିତଙ୍କର ୮୨୦୦ ଘଣ୍ଟାର ବିମାନ ଉଡାଇବର ଅଭିଜ୍ଞତା ରହିଥିବା ବେଳେ କୁନ୍ଦର ତାଙ୍କର ପାଇଲଟ କ୍ୟାରିୟର ମଧ୍ୟରେ ଏଯାବତ ୧୧୦୦ ଘଣ୍ଟାର ବିମାନ ଉଡ଼ାଇଛନ୍ତି।



