ବିରୋଧୀ ବିଜେଡି ଏବଂ କଂଗ୍ରେସ “ଡାହଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି”: ଶ୍ରୀମତୀ ଅପରାଜିତା ଷଡଙ୍ଗୀ

 ‘ଅସ୍ତିତ୍ୱ ବଜାୟ ରଖିବା ଓ ନ୍ୟୁଜରେ ରହିବା’ ହେଉଛି ଉଭୟ ଦଳର ପ୍ରକୃତ ଉଦ୍ଦେଶ୍ୟ
 ନିଜ ନିଜ ଶାସନ କାଳରେ ‘କଂଗ୍ରେସ ଏବଂ ବିଜେଡି’ ରାଜ୍ୟରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା
 ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ଉଭୟ ବିଜେଡି ଓ କଂଗ୍ରେସ ଦଳ ଆତ୍ମସମୀକ୍ଷା କରିବା ଉଚିତ୍ ଥିଲା
 ନାରୀ ହିଂସା ମାମଲାରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର
 ଏଭଳି ଘଟଣାର ପୁନରାବୃତି ନ ଘଟିବା ପାଇଁ ତୁରିତ୍ୱ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି

ଭୁବନେଶ୍ୱର(ନି.ପ୍ର)୧୭/୦୭: ବାଲେଶ୍ୱର ଏଫ.ଏମ କଲେଜ ଛାତ୍ରୀ ସୈାମ୍ୟାଶ୍ରୀ ବିଶି ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟବିଦାରକ, ଯାହା ଆମ ସମସ୍ତଙ୍କୁ ବ୍ୟଥିତ କରିଛି । ବିରୋଧୀ ଦଳ ଭାବେ କଂଗ୍ରେସ ଓ ବିଜେଡିକୁ ଆନ୍ଦୋଳନ କରିବାର ସଂପୂର୍ଣ୍ଣ ଅଧିକାର ରହିଛି, ମାତ୍ର ଅସହିଷ୍ଣୁ ହୋଇ ହୀନ ରାଜନୀତି କରି ଅଗଣତାନ୍ତ୍ରୀକ ଉପାୟରେ ବାତାବରଣ ନଷ୍ଟ କରିବା ଅନୁଚିତ୍ ।

ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ଉଭୟ ବିଜେଡି ଓ କଂଗ୍ରେସ ଦଳ ଆତ୍ମସମୀକ୍ଷା କରିବା ଉଚିତ୍ ଥିଲା । ନିଜ ନିଜ ଶାସନ କାଳରେ କଂଗ୍ରେସ ଦଳ ୪୦ ବର୍ଷ ଏବଂ ବିଜେଡି ୨୪ ବର୍ଷ ଧରି ରାଜ୍ୟରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ନିଜ ଇତିହାସକୁ ଭୁଲି ଯାଇ ଉଭୟ ଦଳ ଦୋଷାରୋପଣ ରାଜନୀତି କରୁଛନ୍ତି । କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାନେତ୍ରୀ ଦିଲ୍ଲୀରୁ ବାତାବରଣ ଅଶାନ୍ତ କରିବାକୁ ଓଡିଶା ଆସିଛନ୍ତି । ନାରୀ ସୁରକ୍ଷା ପ୍ରସଙ୍ଗରେ ଅଶାନ୍ତି ସୃଷ୍ଟି କରିବାକୁ କଂଗ୍ରେସ ଓ ବିଜେଡିର କୌଣସି ପ୍ରକାର ନୈତିକ ଅଧିକାର ନାହିଁ । ସେମାନଙ୍କ ଆଚରଣ ଓ ଉଚାରଣରୁ ଏହା ସ୍ପଷ୍ଟ ହେଉଛି ଯେ; ବିରୋଧୀ ବିଜେଡି ଓ କଂଗ୍ରେସ “ଡାହଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି” ।

କେବଳ ଅସ୍ତିତ୍ୱ ବଜାୟ ରଖିବା ଓ ନ୍ୟୁଜରେ ରହିବା ହେଉଛି ଉଭୟ ଦଳର ପ୍ରକୃତ ଉଦ୍ଦେଶ୍ୟ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ମହିଳା ସୁରକ୍ଷା ଆମ ଦାୟୀତ୍ୱ ଓ ପ୍ରାଥମିକତା । ଏଫ୍‌ଏମ୍ କଲେଜ ଘଟଣାର ଗଭୀରତା ଓ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଠୋର ପଦକ୍ଷେପ ନେଇଛନ୍ତି । ଏହି ଘଟଣା ରାଜ୍ୟ ସରକାରଙ୍କ ସଂଜ୍ଞାନକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ହେବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନିଆଗଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ଅଭିଯୁକ୍ତ ଅଧ୍ୟାପକଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇ କୋର୍ଟ ଚାଲାଣ କରାଗଲା । ଉକ୍ତ ଦିନ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ରାଜ୍ୟ ସରକାରଙ୍କ ତରଫରୁ ତୁରନ୍ତ ରିପୋର୍ଟ ମଗାଯାଇଥିଲା । ମାତ୍ର ୨୪ ଘଂଟା ମଧ୍ୟରେ ପ୍ରାଥମିକ ରିପୋର୍ଟ ଆସିଥିଲା । ଉକ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କଲେଜ ଅଧ୍ୟକ୍ଷକଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ରାଜ୍ୟସକରାର ନିଷ୍ପତି ନେଇଥିଲେ । ପୀଡ଼ିତାଙ୍କ ଚିକିତ୍ସା ଭୁବନେଶ୍ୱରସ୍ଥିିତ ଏମ୍ସ ହସ୍ପିଟାଲରେ କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ପହଂଚି ବାରମ୍ବାର ପୀଡ଼ିତାଙ୍କ ମା’ବାପା ଓ ତାଙ୍କ ପରିବାର ସହ ଆଲୋଚନା କରିଥିଲେ । ଏଥି ସହ ଡାକ୍ତରମାନଙ୍କ ସହ ଯୋଗଯୋଗ କରି ପୀଡ଼ିତାଙ୍କ ସ୍ୱାସ୍ଥ୍ର‌୍ୟାବସ୍ଥା ବିଷୟରେ ପଚାରି ବୁଝୁଥିଲେ । ପୀଡ଼ିତାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ଏକ ଡାକ୍ତରୀ ବିଶେଷଜ୍ଞ ଦଳ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଥିଲା । ଏହି ଘଟଣା ଘଟିବା ସମୟରେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଓଡିଶା ଆସି ବିମାନବନ୍ଦରରୁ ସିଧାସଳଖ ଏମ୍ସ ମେଡିକାଲ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେଠାରେ ପୀଡ଼ିତାଙ୍କ ମା’ ବାପାଙ୍କୁ ଭେଟି ଆଶ୍ୱସନା ଦେବା ସହ ଡାକ୍ତରୀ ବିଶେଷଜ୍ଞଙ୍କ ସହ ଆଲୋଚନା କଲେ । ପୀଡ଼ିତାଙ୍କ ଚିକିତ୍ସାରେ ଯେପରି କୌଣସି ପ୍ରକାର ଅବହେଳା ନ ହେବ ସେଥିପ୍ରତି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ମୁଖ୍ୟମନ୍ତ୍ରୀ ପୁଣି ଥରେ ମଧ୍ୟ ମହାମହିମ ରାଷ୍ଟ୍ରପତିଙ୍କ ସହ ପୀଡ଼ିତାଙ୍କୁ ଭେଟିଥିଲେ । ଏହି ଘଟଣାରେ ରାଜ୍ୟ ସରକାର କେତେ ସମ୍ବେଦନଶୀଳ ତାହା ଏଥିରୁୁ ସ୍ପଷ୍ଟ ହେଉଛି ।

ବିଜୁ ଜନତା ଦଳ ରାଜ୍ୟରେ ୨୪ ବର୍ଷ ଧରି ଶାସନରେ ଥିଲା । ତାଙ୍କ ସରକାର ସମୟରେ କେଉଁ ପ୍ରକାର କେଳଙ୍କାରୀ ହୋଇଥିଲା ତାହା ସମସ୍ତଙ୍କୁ ଜଣା ଅଛି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରେ ବି ଚିକିତ୍ସାଧୀନ ପୀଡିତାଙ୍କୁ ଦେଖା କରିବାକୁ ଯାଇଥିଲେ କି? ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨ ଥର ପୀଡ଼ିତାଙ୍କୁ ଭେଟିବା ସହ କିପରି ଚିକିତ୍ସା ପ୍ରଦାନ କରାଯାଉଛି ତା’ଉପରେ ନଜର ରଖିଥିଲେ । ଏପରିକି ଆବଶ୍ୟକ ପଡ଼ିଲେ ପୀଡ଼ିତାଙ୍କୁ ଏୟାରଲିଫିଂ କରି ଦିଲ୍ଲୀ ନେବାକୁ ମଧ୍ୟ କହିଥିଲେ । ବିଜେଡି ସରକାର ପୂର୍ବରୁ ରାଜ୍ୟରେ କଂଗ୍ରେସର ସରକାର ଥିଲା । ସେତେବେଳେ ମହିଳାମାନଙ୍କ ଉପରେ ଅନେକ ଅତ୍ୟାଚାର ହୋଇଥିଲା । ମାତ୍ର ବିଗତ ସରକାର ସମୟରେ କେବେବି ରାଷ୍ଟ୍ରପତି ଯାଇ ପୀଡ଼ିତାଙ୍କୁ ଭେଟିଥିଲେ କି? କିନ୍ତୁ ଏଥର ରାଷ୍ଟ୍ରପତି ନିଜ ଆଡ଼ୁ ପୀଡିତାଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।

ରାଜ୍ୟରେ ବିଜେପି ସରକାର ଗଠନ କରିବାର ମାତ୍ର ୧ ବର୍ଷ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ୩ ଥର ଇଂଟରନାଲ କପ୍ଳେନ କମିଟି(ଆସିସି) କାର୍ଯ୍ୟାଧାରକୁ ନେଇ ସମୀକ୍ଷା କରାଯାଇଛି । ମହାମହିମ ରାଜ୍ୟପାଳ ମଧ୍ୟ ପୂର୍ବରୁ ଆଇସିସିର ସମୀକ୍ଷା କରିଥିଲେ । ସେଥିପାଇଁ ଏଫ୍‌ଏମ୍ କଲେଜରେ ଆଇସିସି କାର୍ଯ୍ୟକ୍ଷମ ଥିଲା । ଏହି ଘଟଣା ଘଟିବା ପରେ ଗତ ୨ ଦିନରେ ମଧ୍ୟରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟଗୁଡ଼ିକୁ ଚିଠି କରାଯାଇ ଇଂଟରନ୍ୟାଲ କପ୍ଲେନ କମିଟି ଗୁଡ଼ିକର ସ୍ଥିତି ସମ୍ପର୍କରେ ପଚରାଯାଇଛି । ଯଦି କମିଟି ଗଠନ ହୋଇନାହିଁ ତୁରନ୍ତ ଗଠନ କରାଯାଉ । ଯଦି କମିଟି ପୂର୍ବରୁ ରହିଛି ତାହାର ସଦସ୍ୟମାନଙ୍କର ତାଲିକା ଜନସାଧାରଣଙ୍କୁ ୨୪ ଘଂଟା ମଧ୍ୟରେ ଅବଗତ କରାଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ନାରୀ ହିଂସା ମାମଲାରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର । ଏହି ଘଟଣାରେ ଆଉ ମଧ୍ୟ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଛଡ଼ା ଯିବନାହିଁ । ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁ୍‌ଷ୍ଠାନ ନେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଖାଲି ସେତିକି ନୁହେଁ ଆଗାମୀ ଦିନରେ କୌଣସି ଶିକ୍ଷାନୁଷ୍ଠାନରେ ଯେପରି ଏପରି ଘଟଣାର ପୁନରାବୃତି ନ ଘଟିବ ସେନେଇ ତୁରିତ୍ୱ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।

ଛାତ୍ରୀ ଆତ୍ମାହୂତି ଦେବା ପଛରେ ଛାତ୍ର କଂଗ୍ରେସର ନେତାମାନେ ଉସ୍‌କାଇଥିବା ପ୍ରମାଣ ସାମାଜିକ ଗଣମାଧ୍ୟମରେ ରହିଛି । ଗତକାଲି ମୃତା ଛାତ୍ରୀଙ୍କ ଭାଇ ଭୋଗରାଇ ଥାନାରେ ଏକ ଏଫ୍‌ଆଇଆର୍ ଦେଇଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି, ‘କଂଗ୍ରେସ ଓ ବିଜେଡିର କର୍ମୀମାନଙ୍କ ପାଇଁ ତାଙ୍କ ପରିବାର ସଦସ୍ୟ ଅସୁରକ୍ଷିତ ମନେ କରୁଛନ୍ତି । ଉଭୟ ଦଳର କର୍ମୀ ଲଗାତାର ସେମାନଙ୍କୁ ହଇରାଣ କରୁଛନ୍ତି’ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଚିନ୍ତାଜନକ । ରାଜ୍ୟ ସରକାର ଏହି ଦୁଃଖରେ ସମ୍ପୂର୍ଣ୍ଣଭାବେ ତାଙ୍କ ପରିବାର ସହ ଛିଡ଼ା ହୋଇଛନ୍ତି । ରାଜ୍ୟର ସବୁ ମହିଳା ଓ ଝିଅମାନଙ୍କ ସହ ରାଜ୍ୟ ସରକାର ରହିଛନ୍ତି । ସେମାନଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । ଯେଉଁମାନେ ଏସବୁ ମାମଲାରେ ଲିପ୍ତ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁ୍‌ଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରି ଦେଇଛନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ଓ ମୁଖପାତ୍ର ସୁଦିପ୍ତ ରାୟ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ଅବହେଳିତ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଜିଲ୍ଲାପାଳ..

Sun Jul 20 , 2025
ବରଗଡ଼୧୯/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଦେଇ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ମଧ୍ୟ ଦେଇ ଭେଦ କରି ଯାଇଥିବାବେଳେ ଚାରି ଥାକିଆ ବରଗଡ଼-ସମ୍ବଲପୁର ୱେ ଅତାବିରା ରେ ରହିଛି ଏନ୍ଏସି ତଥା ବ୍ଲକ ସହ ରାଜରାସ୍ତା ଲକ୍ଷାଧିକ ଲୋକଙ୍କ ଏକ ମାତ୍ର ନିର୍ଭର ଶୀଳ, ତଥା ଲୋକଙ୍କ ପ୍ରାଣ କେନ୍ଦ୍ର ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର।ଏହି ସ୍ବାସ୍ଥ୍ୟ କେନ୍ଦ୍ର ଟି ଅଞ୍ଚଳରେ ରେଫର୍ ଡାକ୍ତର ଖାନା ଭାବେ ବେଶ୍ ପରିଚିତ। […]

You May Like

Pin It on Pinterest