ବର୍ଷା ପବ୍ଲିକେସନ୍‌ର ସାହିତ୍ୟର ମେଲଣ ତୃତୀୟ ବର୍ଷା ଉତ୍ସବ….

ଭୁବନେଶ୍ଵର(ନି.ପ୍ର)୧୭/୮: ବର୍ଷା ପବ୍ଲିକେସନ୍ ପକ୍ଷରୁ ଭାରତୀୟ ବିଦ୍ୟାଭବନରେ ତୃତୀୟ ‘ବର୍ଷା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି।ସାରାଦିନ ଉତ୍ସବରେ ‘ନଈ’ ସବୁ ସାହିତ୍ୟ ସ୍ରଷ୍ଟା ତଥା ସାହିତ୍ୟ ପ୍ରେମିଙ୍କୁ ବାନ୍ଧି ରଖିଥିଲା। ପ୍ରଥମ ଅଧିବେଶନରେ ଭଦ୍ରକ ମନ୍ତେଇ ନଦୀର କଥା ଓ କାହାଣୀକୁ ନେଇ ଏକ ଖୁଦାର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ କବି କେଶବ କୃଷ୍ଣପ୍ରସାଦ ବେହେରାଙ୍କ କାନ୍ଦଣାଗୀତ ଗାଇଥିଲେ ଅନ୍ନପୂର୍ଣ୍ଣା ମହାନ୍ତି ଏବଂ ପଲ୍ଲୀଗୀତ ଗାଇଥିଲେ ଅଭିମନ୍ୟୁ ଜେନା ।

ଦ୍ବିତୀୟ ଅଧିବେଶନରେ ନଦୀକୁ ନେଇ ଏକ ତାତ୍ତ୍ଵିକ ଆଲୋଚନା ହୋଇଥିଲା। କଥାକାର ଗୌରହରି ଦାସ ତାଙ୍କ ପ୍ରିୟ ମନ୍ତେଇ ନଈକୁ ନେଇ ‘ମୋ ପ୍ରିୟ ନଈ’ ଓ କଥାକାର ଡ.ଅଜୟ ସ୍ବାଇଁଙ୍କ ଦୟା ନଦୀକୁ ନେଇ ‘ମୋ ଜୀବନେ ନଈ’ପ୍ରସଙ୍ଗରେ ମାର୍ମିକ ଆଲୋଚନା କରିଥିଲେ l ସେହିଭଳି ପ୍ରାବନ୍ଧିକ ନେତାଜୀ ଅଭିନନ୍ଦନ ‘ନଈ ଓ ରାଜନୀତି’କୁ ନେଇ ବକ୍ତବ୍ୟ ରଖିଥିଲେ। କବି ଜ୍ଞାନୀ ଦେବାଶିଷ ମିଶ୍ର ନଈ କୂଳର ସଭ୍ୟତା,ଲୋକକଳା, ସାହିତ୍ୟ ଆଦି ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ଗାଳ୍ପିକ ସୁରେନ୍ଦ୍ର ମିଶ୍ରଙ୍କ ଗପ ପୁସ୍ତକ ‘ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ’(ଦ୍ବିତୀୟ ସଂସ୍କରଣ), ଗାଳ୍ପିକ ଅଲେଖ ଚନ୍ଦ୍ର ବେହେରାଙ୍କ ‘ଏକାନ୍ତ ଅନ୍ତରଙ୍ଗ’, ଗାଳ୍ପିକା ପ୍ରୀତିପ୍ରଜ୍ଞା ପ୍ରଧାନଙ୍କ ‘ସେମାନେ କାହାଣୀ ହେଲା ପରେ’, ଇପ୍‌ସିତା ପ୍ରଧାନଙ୍କ ‘ରିଭାଇଭ୍’, ବିଭୁ ହୋତାଙ୍କ କବିତା ପୁସ୍ତକ ‘ଅନ୍ଧାରର ଆଁ, ଶିଶୁ ସାହିତ୍ୟିକ ବାଇଧର ନାୟକଙ୍କ ‘ଗପ ପଢ଼ିବା ଜୀବନ ଗଢ଼ିବା’, କବିତା ପୁସ୍ତକ ‘କବିତା ଗଜ ମୁକୁତା’, ଶିଶୁ ସାହିତ୍ୟିକା ସ୍ନିଗ୍ଧା ନାୟକଙ୍କ ଗଳ୍ପ ପୁସ୍ତକ ‘ଗୋଲୁ ଆଳୁର ବଜାର ବୁଲା’ ଉନ୍ମୋଚିତ ହୋଇଥିଲା ।
ଗଳ୍ପ ପୁସ୍ତକ ‘ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସୁରେନ୍ଦ୍ର ମିଶ୍ରଙ୍କୁ ‘ବର୍ଷା କଥା ସମ୍ମାନ-୨୦୨୫’ ଏବଂ କବିତା ପୁସ୍ତକ ‘ବଇଦା ନା ଓ ଅନ୍ୟମାନେ’ ପାଇଁ ଅଜୟ ନାୟକଙ୍କୁ ‘ବର୍ଷା କବିତା ସମ୍ମାନ ୨୦୨୫’ ପ୍ରଦାନ କରାଯାଇଥିଲା। ଅଭିନେତ୍ରୀ ମଧୁମିତା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।ତୃତୀୟ ଅଧିବେଶନରେ ଭଦ୍ରକ ଜିଲ୍ଲା ହଳଦିଆ ଗ୍ରାମର କଳାକାରମାନେ କେନ୍ଦେରା,ଖଞ୍ଜଣୀ ଓ ଦାସକାଠିଆ ନାଚ ମାଧ୍ୟମରେ ନାଟକ ‘ଟୀକା ଗୋବିନ୍ଦ ଚନ୍ଦ୍ର’ ପରିବେଷଣ କରିଥିଲେ। ଏହାପରେ କବି ବାଦଲ ମହାନ୍ତିଙ୍କ ‘ଦେବୀ ଓ କବି’ କବିତାର ନାଟ୍ୟ ରୂପ ପ୍ରଦର୍ଶିତ ହୋଇଥିଲା। ଯୁବ ନାଟ୍ୟ ନିର୍ଦ୍ଦେଶକ ଚକ୍ରଧର ପାତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଅଭିନୟ କରିଥିଲେ ଜିଜ୍ଞାସା ଓ ଅଭୟ ।

ଚତୁର୍ଥ ଅଧିବେଶନର କବିତା ଆସରରେ ୨୭ଜଣ କବି ନଈକୁ ନେଇ ସ୍ବରଚିତ କବିତା ପାଠ କରିଥିଲେ ।କବି ଆଶୁତୋଷ ପରିଡ଼ା ଓ ପବିତ୍ର ମୋହନ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରିଶେଷରେ ଅନୁଷ୍ଠାନର ନିର୍ଦ୍ଦେଶକ ବାଦଲ ମହାନ୍ତି ଧନ୍ୟବାଦ ଦେଇଥିଲେ ।

ସେୟାର କରନ୍ତୁ

Next Post

ଗନ୍ଧମାର୍ଦ୍ଦନ ଅଂଚଳ ପରିଦର୍ଶନ କରିବାକୁ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କଲେ ସାସଂଦ ପ୍ରଦୀପ ପୁରୋହିତ...

Tue Aug 19 , 2025
ବରଗଡ୧୮/୦୮(ନବୀନ କୁମାର ଦାଶ):ଗନ୍ଧମାର୍ଦ୍ଦନ ଅଂଚଳ ପରିଦର୍ଶନ କରିବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କଲେ ସାଂସଦ ପ୍ରଦୀପ ପୁରୋହିତ।ଆଜି ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ଭେଟି ନିମନ୍ତ୍ରଣ କଲେ ପ୍ରଦୀପ ପୁରୋହିତ।ଏହାସହ ପର୍ବତରେ ଥିବା ନୃସିଂହନାଥ ମନ୍ଦିର ଆସିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ କଲେ ବରଗଡ଼ ସାଂସଦ। ସାକ୍ଷାତ ସମୟରେ ଗନ୍ଧମାର୍ଦ୍ଦନକୁ ନେଇ ହୋଇଥିବା ଐତିହାସିକ ଆନ୍ଦୋଳନକୁ ନେଇ ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋ ଚନା କରିଥିଲେ।ଦେଶ ସ୍ୱାଧୀନ ହେବା ପରେ […]

You May Like

Pin It on Pinterest