
କେନ୍ଦ୍ରାପଡ଼ା:ଆସନ୍ତା୧୪ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାର ପାରମ୍ପରିକ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ।କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି ଡକ୍ଟର ସତ୍ୟଜିତ ନାଏକ କେନ୍ଦ୍ରାପଡ଼ା ଗସ୍ତରେ ଆସି ଆଗାମୀ ଗଜଲକ୍ଷ୍ମୀ ପୂଜା ଉତ୍ସବ ପାଇଁ ସୁରକ୍ଷା ଏବଂ ପ୍ରଶାସନିକ ବ୍ୟବସ୍ଥା ସମୀକ୍ଷା କରିଥିଲେ।
ଗସ୍ତ ସମୟରେ ଡକ୍ଟର ନାଏକ ସମସ୍ତ ପୋଲିସ ଅଧିକାରୀ ଏବଂ ବାହିନୀ ସହିତ ସୁରକ୍ଷା ପ୍ରସ୍ତୁତି, ଟ୍ରାଫିକ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଦେଇଥିଲେ ।ସୁରକ୍ଷା ବ୍ୟବସ୍ଥାର ଏକ ଅଂଶ ସ୍ବରୂପ, ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିବା ଏବଂ ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ଉତ୍ସବ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରାପଡ଼ା ସହରରେ ଏକ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା I
କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି ଶ୍ରୀ ନାଏକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଗଜଲକ୍ଷ୍ମୀ ପୂଜା କେନ୍ଦ୍ରାପଡ଼ାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପର୍ବ ମଧ୍ଯରୁ ଗୋଟିଏ, ଏଠାରେ ବହୁ ସଂଖ୍ୟକ ଲୋକ ଆସିଥାନ୍ତି। ଆମର ପ୍ରାଥମିକତା ହେଉଛି ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହିତ ଉତ୍ସବକୁ ସୁରୁଖୁରୁରେ ଅନୁଷ୍ଠିତ ହେବା ନିଶ୍ଚିତ କରିବା । ଶାନ୍ତି ଏବଂ ସଦଭାବନା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ସମସ୍ତ ପ୍ରକାରର ସମର୍ଥନ ଦିଆଯିବ ବୋଲି ନିଶ୍ଚିତ କରାଯାଇଛି।
ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଟ୍ରାଫିକ୍ ପରିଚାଳନା ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ -୦୧, ଡ଼ିଏସପି -୧୩, ଇନ୍ସପେକ୍ଟର-୧୭, ଏସାଇ/ଏ ଏସାଇ -୧୨୨, ହାବିଲଦାର-୨୭. କନଷ୍ଟେବଳ-୨୩୭,ଗୃହରକ୍ଷୀ -୩୧୫ ଏବଂ ୨୦ ପ୍ଲାଟୁନ୍ ଏବଂ ୦୨ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ CCTV କ୍ୟାମେରା ଲଗାଯାଇଛି।



