
ବରଗଡ଼୦୭/୧୧(ନବୀନ କୁମାର ଦାଶ):ଶ୍ରୀ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ,ଭାରତ ର ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଜଦୁମଣି ଅଡିଟୋରିୟମ୍ ଠାରେ ଜିଲ୍ଲା ସ୍ତରୀୟ ସାମୁହିକ ସଙ୍ଗୀତ ଗାନ ଉତ୍ସବ ଆୟୋଜିତ ହୋଇ ଯାଇଛି।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ଏକତାର ସୂତ୍ରରେ ଶ୍ରଦ୍ଧାର ସହିତ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ସମ୍ପୂର୍ଣ ଗୀତଟି ଗାନ କରିବା ସହ ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ତରୀୟ ଉତ୍ସବର ସିଧା ପ୍ରସାରଣରେ ଯୋଡିତ ରହି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟକୁ ଶୁଣି ଦେଶପ୍ରେମ ଏବଂ ଏକତାର ମନୋଭାବକୁ ଜାଗୃତ କରିଥିଲେ ।
ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ,ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା,ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଏବଂ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ତାହିର ହୁସେନ ଉତ୍ସବରେ ଉପସ୍ଥିତ ରହି ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଏତଦବ୍ୟତୀତ ଆଜି ବରଗଡ଼ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଉଚ୍ଚ ଶିକ୍ଷା ଅନୁଷ୍ଠାନ,ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆୟୋଜିତ ସମୁହିକ ବନ୍ଦେ ମାତରମ୍ ଗୀତ ଗାନ ଉତ୍ସବରେ ସମସ୍ତ ଅଧିକାରୀ,କର୍ମଚାରୀ ଓ ଛାତ୍ରଛାତ୍ରୀ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ସମ୍ପୂର୍ଣ ଗୀତଟି ଗାନ କରି ସଙ୍ଗୀତର ଅମର ସନ୍ଦେଶକୁ ପୁନଃ ସ୍ମରଣ କରିବାସହ ଦେଶପ୍ରେମ,ଏକତା ଓ ଭାରତୀୟ ସାଂସ୍କୃତିକ ଐତିହ୍ୟ ପ୍ରତି ସମ୍ମାନର ପରିପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ।



