
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ଓଡ଼ିଶାର ଯଶସ୍ୱୀ ଗୀତିକାର, ଦକ୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସାହିତ୍ୟିକ ସ୍ୱର୍ଗତ ବୃନ୍ଦାବନ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତି ସଭା ଓ ସଙ୍ଗୀତ ଆସର “ମନପକ୍ଷୀ ଝୁରେ” ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରର ନୂତନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ଏହି ଗରିମାମୟ ସଭାରେ ଓଡ଼ିଶା ସଂସ୍କୃତି ବିଭାଗର ପ୍ରାକ୍ତନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଯୁବ ସାହିତ୍ୟିକ, ପ୍ରଶାସକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡଃ ଚନ୍ଦ୍ରଶେଖର ହୋତା, ମୁଖ୍ୟ ବକ୍ତା ଭାବେ ପ୍ରତିଷ୍ଠିତ ଗୀତିକାର ଓ ‘ପୁଣ୍ୟଉତ୍କଳ’ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର,ସିନେ ସମୀକ୍ଷକ ସୁର୍ଯ୍ୟଦେବ ଏବଂ ଅନ୍ୟାନ୍ୟ ସମ୍ମାନୀୟ ବକ୍ତାମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଅତିଥିମାନେ ସ୍ୱର୍ଗତ ଜେନାଙ୍କ ଓଡ଼ିଆ କଳା ଓ ସଂସ୍କୃତି ପ୍ରତି ଥିବା ନିଷ୍ଠା ବିଷୟରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ, ତାଙ୍କ ରଚିତ “ମନପକ୍ଷୀ ଝୁରେ” ଭଳି ଅନେକ ଲୋକପ୍ରିୟ ଗୀତ ଓଡ଼ିଆ ସଙ୍ଗୀତ ଜଗତର ଅମୂଲ୍ୟ ସମ୍ପଦ। ତାଙ୍କ ଲେଖନୀରେ ଥିବା ଭାବ ଓ ଆବେଗ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରେ।
ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ସେ ସିନେମା ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଓଡ଼ିଆ ସାହିତ୍ୟର ଛାପକୁ ପରଦା ଉପରେ ଜୀବନ୍ତ କରିଥିଲେ।ତାଙ୍କର ସାହିତ୍ୟିକ ଚିନ୍ତାଧାରା ଏବଂ ଶ୍ରଦ୍ଧାପୂର୍ଣ୍ଣ ବ୍ୟକ୍ତିତ୍ୱ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ସହ ଏକ ଅଲିଭା ସ୍ମୃତି ଛାଡ଼ି ଯାଇଛି।
ଏହି ଅବସରରେ ସ୍ୱର୍ଗତ ଜେନାଙ୍କୁ ଭଲ ପାଉଥିବା ବହୁ ସଂଖ୍ୟାରେ ବନ୍ଧୁବାନ୍ଧବ, ସିନେ ପ୍ରେମୀ ଏବଂ ଶୁଭେଚ୍ଛୁ ଉପସ୍ଥିତ ରହି ତାଙ୍କର ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳିର ତାଙ୍କୁ ମନେ ପକାଇ ଥିଲେ। ବକ୍ତାମାନେ ଅତି ଆବେଗଭରା କଣ୍ଠରେ ସ୍ୱର୍ଗତ ଜେନାଙ୍କ ଜୀବନଶୈଳୀ ଓ ଭାବ ବିହ୍ୱଳ ପରିଭାଷାକୁ ଉପସ୍ଥାପନ କରିଥିଲେ।



