
ଭୁବନେଶ୍ବର(ଉପେନ୍ଦ୍ର ପତି): ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଓଡ଼ିଶା ନାଟ୍ୟ ସଂଘର କାର୍ଯ୍ୟକାରିଣୀ ପରିଷଦ ବୈଠକ ୟୁନିଟ୍ -୪, ଭୁବନେଶ୍ୱର ସ୍ଥିତ ହୋଟେଲ ସୂତୃପ୍ତି ସମ୍ମିଳନୀ କକ୍ଷରେ ସଭାପତି ମିହିର କୁମାର ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।
ସଭାପତିଙ୍କ ପରାମର୍ଶ କ୍ରମେ ସାଧାରଣ ସମ୍ପାଦକ ସୁଧାଂଶୁ ମୋହନ ଦ୍ବିବେଦୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏବଂ କୋଷାଧ୍ୟକ୍ଷ ଅବିନାଶ ଦଣ୍ଡପାଟ ଆର୍ଥିକ ସ୍ଥିତି ଉପରେ ଗୃହକୁ ଅବଗତ କରାଇଥିଲେ । ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ପ୍ରତିନିଧି ଏବଂ ଉପଦେଷ୍ଟା ମଣ୍ଡଳୀ ଏହି ସଭାରେ ଉପସ୍ଥିତ ଥିଲେ । ନାଟ୍ୟ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ଯଥା ନାଟ୍ୟ ସଙ୍ଘର ପ୍ରତିଷ୍ଠା ଦିବସ ପାଳନ, ଜାତୀୟ ନାଟକ ଉତ୍ସବ, ସଂଘର ଚାରୋଟି ମଣ୍ଡଳରେ କର୍ମଶାଳା, ସମ୍ମିଳନୀ ଏବଂ ନାଟକ ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେବା ସହିତ ଓଡ଼ିଆ ନାଟକକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ଜାହିର କରିବାର ପ୍ରୟାସ ପାଇଁ ଆଲୋଚନାରେ ସଭ୍ୟମାନେ ସେମାନଙ୍କର ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ ।
ଉକ୍ତ ସଭାରେ ବରଗଡ଼, ପଦମପୁର, ସୁବର୍ଣ୍ଣପୁର, ସୁନାବେଡା, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ପୁରୀ, ବଲାଙ୍ଗିର, ଖୋର୍ଦ୍ଧା, ଦେବଗଡ, କୋରାପୁଟ, ଅନୁଗୁଳ, ବାଲେଶ୍ୱର, ଜଟଣୀ ତଥା ଭୁବନେଶ୍ୱର ପ୍ରତିନିଧି/ସଭ୍ୟମାନେ ଯୋଗ ଦେଇଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।



