ବାଲେଶ୍ୱରରେ ଜଳବନ୍ଦୀ ସମସ୍ୟା ଦୂରୀକରଣ ଦିଗରେ ବଡ଼ ପଦକ୍ଷେପ…

ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ବର୍ଷା ଋତୁରେ ବାଲେଶ୍ୱର ସହରର ଦୀର୍ଘଦିନର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାୟ ସାଢେ ଆଠ କୋଟି ଟଙ୍କା ବ୍ୟୟ ଅଟକଳରେ ସହରର ବିଭିନ୍ନ ଜଳବନ୍ଦୀପ୍ରବଣ ଅଞ୍ଚଳରେ ୧୫ଟି ନୂତନ ଡ୍ରେନ୍, କଲଭର୍ଟ ଓ ସମ୍ପୃକ୍ତ ଡ୍ରେନେଜ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।

ବାଲେଶ୍ୱର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶିଳାନ୍ୟାସ ଉତ୍ସବରେ ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଥିଲେ। ସହରର ସମନ୍ୱିତ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ବୃହତ୍ ଡ୍ରେନେଜ୍ ମାଷ୍ଟର ପ୍ଲାନର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ସେ କହିଥିଲେ।

ବିଧାୟକ ଶ୍ରୀ ଦତ୍ତ କହିଥିଲେ, ବର୍ଷା ସମୟରେ ବାରମ୍ବାର ଜଳବନ୍ଦୀ ସମସ୍ୟା ଦେଖାଯାଉଥିବା ଅଞ୍ଚଳଗୁଡ଼ିକରେ ବୈଜ୍ଞାନିକ ଢଙ୍ଗରେ ଡ୍ରେନେଜ୍ ବ୍ୟବସ୍ଥା ନିର୍ମାଣ କରାଯିବ। ଏହାଦ୍ୱାରା ବର୍ଷାଜଳର ନିଷ୍କାସନ କ୍ଷମତା ବୃଦ୍ଧି ପାଇବ, ରାସ୍ତାରେ ପାଣି ଜମିବା ସମସ୍ୟା ହ୍ରାସ ପାଇବ ଏବଂ ସହରବାସୀ ଦୀର୍ଘଦିନର ସମସ୍ୟାରୁ ଆଶ୍ୱସ୍ତି ପାଇବେ। ଆଗାମୀ ଦିନରେ ସମ୍ପୂର୍ଣ୍ଣ ଡ୍ରେନେଜ୍ ମାଷ୍ଟର ପ୍ଲାନ କାର୍ଯ୍ୟକାରୀ ହେଲେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସହରର ବୃହତ୍ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡ୍ରେନ୍ ଉପରେ ଥିବା ଅବୈଧ ଅତିକ୍ରମଣ ଓ ନିର୍ମାଣକୁ ସ୍ୱଇଚ୍ଛାରେ ହଟାଇବାକୁ ମଧ୍ୟ ବିଧାୟକ ସହରବାସୀଙ୍କୁ ଆହ୍ୱାନ ଜଣାଇଥିଲେ।

ପୌରାଧ୍ୟକ୍ଷା ସବିତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକଳ୍ପଗୁଡ଼ିକର ବିସ୍ତୃତ ସୂଚନା ଦେଇଥିଲେ। ୧୧, ୧୭, ୧୯, ୨୦, ୨୧, ୨୨, ୨୩, ୨୪, ୨୬, ୨୭, ୨୮ ଓ ୨୯ ନମ୍ବର ୱାର୍ଡ ସମେତ ସହରର ବିଭିନ୍ନ ଅଞ୍ଚଳରେ ଡ୍ରେନ୍, କଲଭର୍ଟ, କଭର ସ୍ଲାବ, ଆର୍‌ସିସି ଡ୍ରେନ୍, ମହାନାଳ ଓ ପ୍ରୋଟେକ୍ସନ ୱାଲ ନିର୍ମାଣ କରାଯିବ।
କାର୍ଯ୍ୟକ୍ରମରେ ବରିଷ୍ଠ କାଉନସିଲର ପଦ୍ମଲୋଚନ ପଣ୍ଡା ଓ ସତ୍ୟଶିବ ସୁନ୍ଦର ଦାସ ସହରର ଦୀର୍ଘଦିନର ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ଏହି ପଦକ୍ଷେପକୁ ସ୍ୱାଗତ କରି ବିଧାୟକ, ପୌରାଧ୍ୟକ୍ଷା ଏବଂ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ନାଥ, ପ୍ରତିମା ବେହେରା, ରୋଜାଲିନ ପାଣି, ପ୍ରୀତିଲତା ସେଠୀ, ନିରୂପମା ଦାଶ, ସଲିମା ବିବି, ସୁଚିସ୍ମିତା ପଣ୍ଡା, ଅମିତ ନାୟକ, ନିତ୍ୟଗୋପାଳ ସିଂ, ଦେବାଶିଷ ସିଂ, ଶେଖ ନୌସାଦ ଓ ଭାରତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସାଂସଦଙ୍କ ପ୍ରତିନିଧି ଚିତ୍ତରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ପୌରାଞ୍ଚଳର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ମଧ୍ୟ ବଣ୍ଟନ କରାଯାଇଥିଲା।

ସେୟାର କରନ୍ତୁ

Next Post

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ସମ୍ପନ୍ନ...

Sat Jul 25 , 2026
ନୂଆଦିଲ୍ଲୀ(ବାସ୍ତବ କଥା): ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୮ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରୁଥିବା ଚାରି ଦୀଅଁ ମାନଙ୍କ ସାମ୍ନାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଏହା ପରେ ଦିନ […]

You May Like

Pin It on Pinterest