
–ଉଦ୍ଧାର ପରେ ‘ମିଶନ୍ ଆଶ୍ରା-୧’ରେ ଚାଲିଥିଲା ଚିକିତ୍ସା ଓ ଯତ୍ନ
–ଝାଡ଼ଖଣ୍ଡ ପୋଲିସର ମିଳିତ ସହାୟତାରେ ମିଳିଥିଲା ପରିବାରର ଠିକଣା
–ଜିଲ୍ଲାପାଳଙ୍କ ଉପସ୍ଥିତିରେ ପରିବାରକୁ ହସ୍ତାନ୍ତର
ଝାରସୁଗୁଡ଼ା(ବିଜୟ ଜାଲାନ୍): ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମହତ ପଦକ୍ଷେପ ‘ସ୍ନେହସେତୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଉ ଏକ ମାନବିକତାର ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ନିଜ ପରିବାରଠାରୁ ବିଚ୍ଛିନ୍ନ ହୋଇ ରହିଥିବା ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ସୁରକ୍ଷିତ ଭାବେ ତାଙ୍କ ପରିବାର ସହିତ ପୁନଃମିଳନ କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୨ ମଇ ୨୦୨୬ ରିଖରେ ଝାରସୁଗୁଡ଼ା ସହରର ବେହେରାମାଲ ଅଞ୍ଚଳରୁ ପ୍ରାୟ ୪୮ ବର୍ଷ ବୟସ୍କା ମାନସିକ ଅସୁସ୍ଥ ମହିଳା ଦେବୀଙ୍କୁ ଝାରସୁଗୁଡ଼ା ଟାଉନ୍ ଥାନା ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ତାଙ୍କୁ ଉପଯୁକ୍ତ ଚିକିତ୍ସା, ସୁରକ୍ଷା ଓ ଥଇଥାନ ନିମନ୍ତେ ଏଚ୍. କଟାପାଲିସ୍ଥିତ ‘ମିଶନ୍ ଆଶ୍ରା-୧’ରେ ଆଶ୍ରୟ ପ୍ରଦାନ କରାଯାଇଥିଲା। ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଓ ଯତ୍ନ ନିଆଯିବା ସହ ତାଙ୍କ ପରିବାର ଖୋଜିବା ପାଇଁ ଟିମ୍ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀମାନେ ଝାଡ଼ଖଣ୍ଡ ରାଜ୍ୟ ପୋଲିସ କଣ୍ଟ୍ରୋଲ ରୁମ୍ ସହିତ ଯୋଗାଯୋଗ କରିଥିଲେ। ସେଠାରୁ ପ୍ରାପ୍ତ ସୂଚନା ଓ ଥାନା ଅଧିକାରୀଙ୍କ ସହଯୋଗରେ ତାଙ୍କ ପରିବାରର ଠିକଣା ଚିହ୍ନଟ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ପରିବାର ସହ ସଫଳ ଯୋଗାଯୋଗ ସମ୍ଭବ ହୋଇଥିଲା ଏବଂ ତାଙ୍କ ଝିଅ ତଥା ଅନ୍ୟ ସଦସ୍ୟମାନେ ତାଙ୍କୁ ଘରକୁ ଫେରାଇ ନେବା ପାଇଁ ଝାରସୁଗୁଡ଼ା ଆସି ପହଞ୍ଚିଥିଲେ।
ମହିଳାଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସମୟରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ ନାଏକ୍, ଶ୍ରୀ ଆଦିତ୍ୟ କୁମାର ବାଦୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମଚାରୀ ଏବଂ ‘ମିଶନ୍ ଆଶ୍ରା-୧’ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ସଫଳ ପୁନଃମିଳନ ପାଇଁ ଉଦ୍ଧାର ହୋଇଥିବା ମହିଳାଙ୍କ ପରିବାର ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।



