
ବାସ୍ତବ ବ୍ୟୁରୋ : ନରେନ୍ଦ୍ର ମୋଦୀ ସରକାରର ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ,ପ୍ରଥମଥର ପାଇଁ ଡିଜିଟାଲ ଫ୍ଲାଟଫର୍ମରେ ସମ୍ବୋଧନ କରିଛି ଭାରତୀୟ ଜନତା ପାର୍ଟି । ଆଜି ଆୟୋଜିତ ହୋଇଥିବା ଏହି ଭର୍ଚୁଆଲ ର୍ୟାଲିରେ ଉଦବୋଧନ ଦେଇ ଅମିତ ଶାହା କହିଛନ୍ତି ଯେ, ଓ଼ଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ ଯେପରିକି କୌଣସି ଶ୍ରମିକକୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ଏଥିପାଇଁ ମୋଦୀ ସରକାର ବଚନବଦ୍ଧ ଅଛନ୍ତି । ଭାଜପା ଦ୍ୱାରା ହିଁ ଓଡ଼ିଶା ଓ ଦେଶକୁ ବିକଶିତ କରିହେବ । ଏଥିପାଇଁ ଓଡ଼ିଶାକୁ ଭାଜପାର ଗଡ଼ କରିବାକୁ ହେବ ।
କଂଗ୍ରେସ ଦଳକୁ ସିଧା ଟାର୍ଗେଟ୍ କରି ଅମିତ ଶାହା କହିଛନ୍ତି ଯେ, ପୂର୍ବର କଂଗ୍ରେସ ସରକାର ଅମଳରେ ଓଡ଼ିଶାକୁ ନିୟମିତ ଭାବେ ଅବହେଳା କରାଯାଉଥିଲା । ୧୩ଶ ଅର୍ଥ ଆୟୋଗ ମାଧ୍ୟମରେ କଂଗ୍ରେସ ସରକାର ଓଡ଼ିଶାକୁ ମାତ୍ର ୭୯୪୮୬ କୋଟି ଟଙ୍କା ଦେଇଥିଲେ । କିନ୍ତୁ ମୋଦୀ ସରକାର ଆସିବା ପରେ ଓଡ଼ିଶାକୁ ଗତ ୫ ବର୍ଷରେ ଓଡ଼ିଶାକୁ ପ୍ରାୟ ୫ ଲକ୍ଷ ୫୨ ହଜାର ୧୦୯ କୋଟି ପ୍ରଦାନ କରିଛନ୍ତି । ମହାମାରୀ ମୁକାବିଲା ସମୟରେ କଂଗ୍ରେସ କ’ଣ କରିଛି ବୋଲି ମଧ୍ୟ ପଚାରିଛନ୍ତି ଗୃହମନ୍ତ୍ରୀ ।
ସେ କହିଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସରକାରଙ୍କୁ ଦୁଃଖ ଦେଇଛି । କିନ୍ତୁ ସେମାନଙ୍କ ସୁରକ୍ଷା ସରକାରଙ୍କୁ ଅଧିକ ଚିନ୍ତିତ କରିଥିଲା । ତେବେ ସୁଖର କଥା ହେଉଛି, କେନ୍ଦ୍ର ସରକାର ଓ ସବୁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଭଲ କାମ କରିଛନ୍ତି । କେନ୍ଦ୍ର ସରକାରଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ ଦ୍ୱାରା ଓଡ଼ିଶାର କୃଷକ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନେ ଉପକୃତ ହେବେ । କୃଷିଜାତ ସାମଗ୍ରୀର ଏମଏସପି ବୃଦ୍ଧି ଯୋଗୁଁ ଓଡ଼ିଶାର କୃଷକ ବିଶେଷ ଭାବେ ଉପକୃତ ହେବେ । କାରଣ ଓଡ଼ିଶାର ମୋଟ କୃଷି ଉତ୍ପାଦନର ୭୦ ପ୍ରତିଶତ ଧାନ ।
ସେ ଏହି ଅବସରରେ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର, ରାମମନ୍ଦିର ନିର୍ମାଣ, ନାଗରିକତା (ସଂଶୋଧନ) ଆଇନ ପ୍ରୟଣନ କ୍ଷେତ୍ରରେ ସରକାରଙ୍କ ସଫଳତା ନେଇ କହିଛନ୍ତି । ଆୟୁଷମାନ ଭାରତ ଯୋଜନା ମାଧ୍ୟମରେ ମୋଦୀ ସରକାର ଦେଶର ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାର ସୁରକ୍ଷା ପ୍ରଦାନ କରୁଛନ୍ତି । ଏହା ଫଳରେ ସେମାନେ ଉଚିତ ସମୟରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି । ଡିବିଟି ବା ପ୍ରତ୍ୟକ୍ଷ ସହାୟତା ପ୍ରେରଣ ମାଧ୍ୟମରେ ଗରିବ ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯାଉଛି ବୋଲି ସେ କହିଛନ୍ତି । ଉଜ୍ଜଳା ଯୋଜନାରେ ୮ କୋଟି ଗରିବ ଲୋକ ରନ୍ଧନ ଗ୍ୟାସ ପାଇପାରିଛନ୍ତି । ଗତ ୬ ବର୍ଷ ମଧ୍ୟରେ ୧୦ କୋଟି ପରିବାରକୁ ଶୌଚାଳୟ ଓ ଅଢେଇ କୋଟି ପରିବାରକୁ ଘର ଦିଆଯାଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭପତି ସମୀର ମହାନ୍ତି, ରାଜ୍ୟ ବିରୋଧୀଦଳ ନେତା ପ୍ରଦୀପ ନାଏକ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।
