
ବାସ୍ତବ ବ୍ୟୁରୋ-୧୫ତମ ଅର୍ଥ ଆୟୋଗର ସୁପାରିଶ କ୍ରମେ ୨୦୨୦-୨୧ ପାଇଁ ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ସକ୍ରିୟ କରିବାକୁ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ମୋଟ ୧୫୧୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଦେଶର ଗ୍ରାମାଞ୍ଚଳ ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଥିବାରୁ, କେନ୍ଦ୍ର ସରକାର ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଅନୁଦାନର ପ୍ରଥମ କିସ୍ତି ବାବଦରେ ଏହି ରାଶି ପ୍ରଦାନ କରାଯାଇଛି । ଏହା ମଧ୍ୟରୁ ଓଡ଼ିଶା ଲାଗି ୫୬୪ କୋଟି ଟଙ୍କା ମଂଜୁର କରାଯାଇଛି । ପଞ୍ଚାୟତଗୁଡ଼ିକ ଏହି ରାଶିକୁ କରୋନା ମୁକାବିଲା ଓ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି, ସ୍ଥାନୀୟ ଅଂଚଳର ଆବଶ୍ୟକତା ଅନୁସାରେ ବିକାଶ ପାଇଁ ଉପଯୋଗ କରିବେ ।
କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅନ୍ତର୍ଗତ ବିନିଯୋଗ ବିଭାଗ (ଡିପାର୍ଟମେଣ୍ଟ ଅଫ ଏକ୍ସପେଣ୍ଡିଚର) ପକ୍ଷରୁ କୁହାଯାଇଛି କି,ରାଜ୍ୟ ଅର୍ଥ ବିଭାଗଗୁଡ଼ିକ ଏହି ରାଶି ପାଇବାର ୧୦ ଦିନ ମଧ୍ୟରେ ଏହି ଅନୁଦାନକୁ ପଞ୍ଚାୟତଗୁଡ଼ିକୁ ପ୍ରଦାନ କରିବେ । ୧୦ଦିନରୁ ବିଳମ୍ବ ହେଲେ ସୁଧ ସମେତ ଏହି ଅର୍ଥ ପ୍ରଦାନ କରିବେ । ସୂଚନାନୁଯାୟୀ, ଉତ୍ତରପ୍ରଦେଶକୁ ସର୍ବାଧିକ ୨୪୩୮ କୋଟି ଟଙ୍କା ମଂଜୁର କରା ଯାଇଥିବା ବେଳେ ଗୋଆକୁ ସର୍ବନିମ୍ନ ୧୮ କୋଟି ଟଙ୍କା ମିଳିଛି।
