ବାସ୍ତବ ବ୍ୟୁରୋ–ଯୁଗେ ଯୁଗେ ଲୀଳାମୟ ଜଗତବନ୍ଧୁ ଜଗତନାଥ ନିଜର ଳୀଳା ଛଳ ରେ ପ୍ରତକ୍ଷରେ ବା ପରୋକ୍ଷରେ ଚେତେଇ ଦେଇଛନ୍ତି, ସେ ଯାହା ଚାହାନ୍ତି ତାହା ହିଁ ହୁଏ । କୁରୁକ୍ଷେତ୍ର ର ଯୁଦ୍ଧ ହେଉ, ସଵାରୀ ଅଇଁଠା ବା ସୁନା ମୁଦି ବନ୍ଧା ଦେଇ ମାଣିକ ଗଉଡ଼ୁଣୀଠୁଁ ଦହି, ସବୁ ତାଙ୍କରି ଇଚ୍ଛା । ଆଜି ଯାହାର ଚକ୍ରାନ୍ତ ହେଉ କାହିଁକି ପଣ୍ଡ ହୋଇଛି, ପୁଣି ଜଗନ୍ନାଥ ଦେଖେଇଛନ୍ତି “ମୁଁ ସକଳ ଶକ୍ତି ର ଆଧାର ମୁଁ ଚାହିଁଲେ ଗଡ଼ିବା ରଥ ନହେଲେ ନାହିଁ”, ଯାହା ହେଉ ଭକ୍ତ ର ଅଳି ଗୁହାରି କୁ ଶୁଣିଛନ୍ତି ମଣିମା । ସାରା ବିଶ୍ୱ ରେ ଜୟେ ଜଗନ୍ନାଥ ଧ୍ୱନି । ସୁପ୍ରିମ କୋର୍ଟ ର କାଠ ଗଡା ରେ ଠିଆ ହୋଇ ଜିତିଛନ୍ତି ଜଗନ୍ନାଥ କେନ୍ଦ୍ର ସରକାରଙ୍କ ସହଯୋଗ ହେଉ ବା ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଆଜି ଫଳପ୍ରଦ ହୋଇଛି ।
ଚଳିତ ବର୍ଷ କରୋନା ମହାମାରୀ କଟକଣା ଭିତରେ କେବଳ ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମ୍ କୋର୍ଟ । ମମଲାର ଚୂଡ଼ାନ୍ତ ରାୟ ଶୁଣାଇ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେ କହିଛନ୍ତି ଯେ ଆମେ କେବଳ ପୁରୀ ପାଇଁ ରଥଯାତ୍ରା ଲାଗି ଅନୁମତି ଦେଉଛୁ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ।
ନିଷ୍ପତ୍ତି ଘୋଷଣା କରି ମୁଖ୍ୟ ବିଚାରପତି ବୋବଡେ କହିଲେ, ପୁରୀରେ ରଥଯାତ୍ରା ଆୟୋଜନ ଦାୟିତ୍ବ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ଏବଂ ଓଡ଼ିଶା ସରକାରଙ୍କୁ ଛାଡ଼ି ଦିଆଯାଉ । ସେମାନେ କଡ଼ା କଟକଣା ଭିତରେ ଏବଂ ବିନା ଭକ୍ତ ସମାଗମରେ ରଥଯାତ୍ରା କରାଇବେ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ ସମନ୍ବୟ ରକ୍ଷା କରି ରଥଯାତ୍ରା ସମାପନ କରିବେ।
ଗତ ଜୁନ୍ ୧୮ ତାରିଖରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ନେତୃତ୍ୱାଧୀନ ଏକ ତିନି ଜଣିଆ ଖଣ୍ଡପୀଠ କହିଥିଲେ କି, ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ସମାଗମ ହେବାର ଆଶଙ୍କା ରହିଥିବାରୁ କୋଭିଡ୍-୧୯ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ‘ସାଂପ୍ରତିକ ପରିସ୍ଥିତିରେ ଯଦି ଆମେ ରଥଯାତ୍ରା ପାଇଁ ଅନୁମତି ଦେଉଛୁ ତେବେ ମହାପ୍ରଭୁ ଜଗନ୍ନାଥ କେବେ ବି ଆମକୁ କ୍ଷମା ଦେବେ ନାହିଁ’ ।
କିନ୍ତୁ, ସୁପ୍ରିମ କୋର୍ଟର ନିର୍ଦ୍ଦେଶର ପୁନଃ ସମୀକ୍ଷା ପାଇଁ ଏକାଧିକ ରିଭ୍ୟୁ ପିଟିସନ ଆଗତ ହୋଇଥିଲା । ଆଜି ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚରେ ରଥଯାତ୍ରା ପ୍ରସଙ୍ଗରେ ମୂଳ ମାମଲା ସହ ଆଦେଶ ମୋଡିଫିକେସନ ଆବେଦନଗୁଡ଼ିକର ଏକାଠି ଶୁଣାଣି ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଏହି ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇଥିଲେ ।
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍ କୋର୍ଟରେ ଉପସ୍ଥିତ ରହି ବିଚାରପତିଙ୍କୁ କହିଥିଲେ ଯେ ରଥଯାତ୍ରା ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସିଛି । ଏହାକୁ ଏପରି ହଠାତ୍ ବନ୍ଦ କରି ଦିଆଯାଇ ପାରିବ ନାହିଁ। ଯଦି ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ ରଖାଯାଉଛି ତେବେ ବିଧି ମୁତାବକ ଶ୍ରୀଜିଉମାନଙ୍କ ଆଉ ୧୨ ବର୍ଷ ପର୍ଯ୍ୟନ୍ତ ରଥଯାତ୍ରା ହୋଇ ପାରିବ ନାହିଁଁ । ସଲିସିଟର ଜେନେରାଲ ତୁଷାର ମେହାଟ୍ଟଙ୍କ ଏ ଯୁକ୍ତି ଓ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ଅନୁଧ୍ୟାନ କରି, ସୁପ୍ରିମ୍ କୋର୍ଟର ବିିଚାରପତି ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚ ଏହି ମାମଲାକୁ ଏକ ବୃହତ୍ତର ଖଣ୍ଡପୀଠକୁ ପଠାଇ ଦେଇଥିଲେ ।
ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ସହିତ ଏହି ମାମଲାର ଶୁଣାଣି କରିଥିଲେ ଜଷ୍ଟିସ୍ ଏ ଏସ୍ ବୋପାନ୍ନା ଓ ଜଷ୍ଟିସ୍ ଦୀନେଶ ମାହେଶ୍ୱରୀ । ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନ୍ଜୀବୀ ହରିଶ୍ ସାଲଭେ ଓ କେନ୍ଦ୍ର ସରକାରଙ୍କର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ମାମଲାର ପରିଚାଳନା କରୁଥିଲେ। ଏହାର ଫଳ ସ୍ୱରୂପ ମାନ୍ୟବର ସୁପ୍ରିମ କୋର୍ଟ କରୋନା କୁ ଦୃଷ୍ଟିରେ ରଖି ସର୍ତ୍ତନୁଯାୟୀ ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।




