ବାସ୍ତବ ବ୍ୟୁରୋ-ନ୍ୟାସନାଲ କ୍ୟାଡେଟ୍ କର୍ପସ (ଏନସିସି) ବର୍ତ୍ତମାନ ସୀମା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟ ସେବା କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନସିସିର ସମ୍ପ୍ରସାରଣ ସହ ଜଡିତ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ସମସ୍ତ ୧୭୩ ସୀମା ଏବଂ ଉପକୂଳ ଜିଲ୍ଲାର ଯୁବକମାନେ ବହୁ ପରିମାଣରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଆପଣଙ୍କୁ କହିରଖୁଛୁ ଯେ ଅଗଷ୍ଟ ୧୫ ରେ ରେଡ ଫୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହର କାମ ଦେଶ କା ନାମ’ ବିଷୟରେ କହିବାକୁ ଯାଇ ଯୁବ ଶକ୍ତିକୁ ଦେଶ ସେବା ସହିତ ଯୋଡିବା ବିଷୟରେ ଉଲ୍ଲେଖ କରିଥିଲେ ।
୧୭୩ ସୀମା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରୁ ଏନସିସିରେ ୧ ଲକ୍ଷ ନୂତନ କ୍ୟାଡେଟ୍ ନିଯୁକ୍ତ ହେବେ, ଯେଉଁଥିରୁ ଏକ ତୃତୀୟାଂଶ ଭାଗ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ । ସୀମାନ୍ତ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୧,୦୦୦ ରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଚିହ୍ନଟ ହୋଇଛି ଯେଉଁଠାରେ ଏନସିସି ଆରମ୍ଭ ହେବ ।
ସେନାର ପ୍ରତ୍ୟକ୍ଷ ତତ୍ୱାବଧାନରେକାର୍ଯ୍ୟ କରୁଥିବା ୮୩ ଟି ୟୁନିଟରେ ୫୩ ଟି ସେନା, ନୌସେନାର ୨୦ ଟି ଏବଂ ବାୟୁସେନାର ୧୦ ଟି ୟୁନିଟ୍ ନିୟୋଜିତ ହୋଇଛନ୍ତି । ସୀମାନ୍ତରେ ଅବସ୍ଥିତ ଏନସିସି ୟୁନିଟକୁ ସେନା ତାଲିମ ଏବଂ ପ୍ରଶାସନିକ ସହାୟତା ପ୍ରଦାନ କରିବ, ନୌସେନା ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଏନସିସି ୟୁନିଟକୁ ସହାୟତା ପ୍ରଦାନ କରିବ ଏବଂ ସେହିଭଳି ବାୟୁସେନା ବାୟୁସେନା ଷ୍ଟେସନ ନିକଟରେ ଅବସ୍ଥିତ ଏନସିସି ୟୁନିଟକୁ ସହାୟତା ପ୍ରଦାନ କରିବ ।
ଏନସିସିର ସମ୍ପ୍ରସାରଣର ଏହି ପ୍ରକଳ୍ପ ରାଜ୍ୟଗୁଡ଼ିକର ସହଯୋଗରେ ପ୍ରସ୍ତୁତ ହେବ । କେନ୍ଦ୍ର ସରକାର ଏହା ବିଶ୍ୱାସ କରନ୍ତି ଯେ ଏହା କରିବା ଦେଶର ଯୁବପିଢ଼ିମାନଙ୍କୁ ସେନାରେ କାମ କରିବାକୁ ପ୍ରେରଣା ଯୋଗାଇବ ।




