ବାସ୍ତବ ବ୍ୟୁରୋ-ଆରପାରିରେ ଓଲିଉଡର ଖ୍ୟାତନାମା ଅଭିନେତା ଅଜିତ ଦାସ । ଆଜି ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ଅଜିତ ଦାସଙ୍କର ୭୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ତାଙ୍କ ପରଲୋକ ଖବର ପ୍ରସାରିତ ହେବାପରେ ରାଜ୍ୟ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି।
ସେପ୍ଟେମ୍ବର ୧ ତାରିଖ ଦିନ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିବା ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

୨୦ ଜାନୁଆରୀ ୧୯୪୯ରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଅଜିତ୍ ଦାସଙ୍କ ଜନ୍ମ । ୧୯୭୬ ମସିହାରେ ସିନ୍ଦୁର ବିନ୍ଦୁ ଚଳଚିତ୍ରରୁ ନିଜ ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ ଅଜିତ ଦାସ୍ । କେବଳ ସିନେମା ନୁହେଁ ବରଂ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ଅଜିତ ଦାସ ।
୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଅଜିତ ଦାସ୍ । ତାଙ୍କ ଅଭିନୀତ ହାକିମବାବୁ ଚଳଚ୍ଚିତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର । ଉତ୍କଳ ସଙ୍ଗୀତ ବିଶ୍ୱବିଦ୍ୟାଳୟର ଡ୍ରାମା ବିଭାଗର ଅଧ୍ୟାପକ ଥିଲେ ଅଜିତ ଦାସ୍ । ମୁଖ୍ୟମନ୍ତ୍ରୀ, ହାକିମବାବୁ, ଲୁଚକାଳି, ସିନ୍ଦୁର ବିନ୍ଦୁ, ମାଆ, ସୁନା ଚଢ଼େଇ ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ । ହାକିମ ବାବୁରେ ତାଙ୍କ ଉଚ୍ଚକୋଟିର ଅଭିନୟକୁ ଦେଖି ତାଙ୍କ ଫ୍ୟାନ୍ସ ଓଲିଉଡର ହାକିମ ବାବୁ ଡାକିବା ଆରମ୍ଭ କରିଥିଲେ ।
ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ। ନିଜେ ମଧ୍ୟ ‘ଅଜିତ’ ନାମରେ ଏକ ନାଟ୍ୟ ସଂସ୍ଥା ସ୍ଥାପନ କରି ବହୁ ନୂତନ କଳାକାର ସୃଷ୍ଟି କରିଥିଲେ।



