ବାସ୍ତବବ୍ୟୁରୋ: ଶନିବାର ରାତି ୧୧ଟା ୧୦ ମିନିଟ, ଓଡ଼ିଶୀନୃତ୍ୟ କଳାକାରଙ୍କ ‘ଗୁରୁମା’ ଅନ୍ନପୂର୍ଣ୍ଣା-ଏ ଥିଏଟରରେ ମଞ୍ଚର ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ମହାନ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ୮୬ ବର୍ଷ ବୟସ ଦେହାନ୍ତ ଘଟିଛି । ସେ ବାର୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ରତିକାନ୍ତ ମହାପାତ୍ର-ବୋହୂ ଓ ଅନ୍ୟ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।ଏ ଦୁଖଦଃ ଖବର ପ୍ରଚାରିତ ହେବା ପରେ ବହୁ ଓଡ଼ିଶାର ନୃତ୍ୟ, ସଂଗୀତ ଓ କଳା ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ ଭୀମଟାଙ୍ଗିସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ଶେଷଦର୍ଶନ କରିଛନ୍ତି । ଲକ୍ଷ୍ମୀପ୍ରିୟା ମହାପାତ୍ର ଏକାଧାରରେ ଜଣେ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଥିଲେ ।
ପିଲାଟି ଦିନରୁ ତାଙ୍କର କଲା ପ୍ରତି ରୁଚି ଥିଲା । ତାଙ୍କର ଏହି ଲୁକାୟିତ ନୃତ୍ୟ ପ୍ରତିଭାକୁ ଲୋକଲୋଚନକୁ ଆଣିଥିଲେ ବାଉରୀବନ୍ଧୁ ମହାନ୍ତି । ପରବର୍ତ୍ତୀ ସମୟରେ ୧୯୪୬ ମସିହାରେ ଅନ୍ନପୂର୍ଣ୍ଣା-ବି ଥିଏଟର ସହ ଯୋଡ଼ି ହୋଇଥିଲେ |ସେଠାରେ ଘନିଷ୍ଟତା ବଢିଥିଲା ଜଣେ ତବଲା ବାଦକଙ୍କ ସହ |ସେ ତବଲାବାଦକ ଆଉକେହି ନୁହନ୍ତି ବିଶ୍ୱ ବିଦିତ ଗୁରୁ କେଳୁଚରଣ ମହାପାତ୍ର | ତାଙ୍କରି ମୃଦଙ୍ଗର ତାଳେ ତାଳେ ଲକ୍ଷ୍ମୀପ୍ରିୟା ସୃଷ୍ଟି କଲେ ଓଡିଶୀ ନୃତ୍ୟ ଅଭୁଲା କିମ୍ବଦନ୍ତୀ | ହେଲେ ମଞ୍ଚରେ ଲକ୍ଷ୍ମୀପ୍ରିୟାଙ୍କ ପ୍ରଥମ ନୃତ୍ୟ ଥିଲା ‘ଗୋଟିପୁଅ’ ନୃତ୍ୟ |
ସେ ଖାଲି ନୃତ୍ୟାଙ୍ଗନା ନଥିଲେ ବହୁ ଲୋକପ୍ରିୟ ନାଟକରେ ମଧ୍ୟ ସେ ଅଭିନୟ ମାଧ୍ୟମରେ ଛାଡ଼ିଯାଇଛନ୍ତି ଅଭୁଲା ସମୁର୍ତ୍ତିଚିନ୍ହ । ସେହି ନାଟକ ମଧ୍ୟରୁ ମ୍ୟାନେଜର, ଭରସା, ତଅପୋଇ, ମୂଲିଆ,ଆଲୋକ, କଳାପାହାଡ଼,ଦଶାବତାର, ଜହର,ସାଧବ ଝିଅ ଅନ୍ୟତମ । ଅନେକ ଲୋକପ୍ରିୟ ସିନେମାରେ ମଧ୍ୟଛା ଡ଼ିଯାଇଛନ୍ତି ଅଭିନୟ ଛାପ , ଯାହାକି ଓଡ଼ିଆକଳା ଇତିହାସରେ ମାଇଲ୍ଖୁଣ୍ଟ ।ସୂର୍ଯ୍ୟମୁଖୀ, ମାଣିକ ଯୋଡ଼ି, ଅମଡ଼ା ବାଟ, ମଲାଜହ୍ନ ପ୍ରଭୁତି ସିନେମାରେ ଲକ୍ଷ୍ମୀପ୍ରିୟାଙ୍କ ଅଭିନୟ ସବୁଦିନ ଦର୍ଶକର ହୃଦୟରେ ଅଭୁଲାକରି ରଖିଥିବ ।
ସାରା ବିଶ୍ଵର କୋଣ ଅନୁକୋଣରେ ଗୁରୁ କେଳୁଚରଣଙ୍କର ଅନେକ ଛାତ୍ର, ତେଣୁ ସେହି ଛାତ୍ରଛାତ୍ରୀମାନଙ୍କର ଗୁରୁମା ଥିଲେ ଲକ୍ଷ୍ମୀପ୍ରିୟା । ଓଡ଼ିଶୀ ନୃତ୍ୟର ଗୁରୁମା କହିଲେ ଲକ୍ଷ୍ମୀପ୍ରିୟାଙ୍କୁ ହିଁ ବୁଝାଏ ।ଆଜି ସେହି ପୁଅ ଝିଅଙ୍କ ଆଖିରେ ଅମାନିଆ ଲୁହକୁ ପୋଛି ଦେବାପାଇଁ ଗୁରୁମା ଆଉ ନାହାନ୍ତି |