
ବାସ୍ତବ ବ୍ୟୁରୋ : ପ୍ରତି ଘରେ ଘରେ ପହଞ୍ଚିବା ପାଇଁ,ଇଡ୍କୋଲ ଅଡିଟୋରିଅମରେ ଅନୁଷ୍ଠିତ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନରେ ନେତା ଠାରୁ କର୍ମୀ ପର୍ଯ୍ୟନ୍ତ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି | ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତାମାନଙ୍କୁ ସାଥିରେ ନେଇ ଓଡ଼ିଶାରେ ପ୍ରତି ଘରେ ନେତାମାନେ ଦଳର ବାର୍ତ୍ତା ନିହାତି ପହଞ୍ଚାଇବା ଦରକାର | ନବୀନ ପଟ୍ଟନାୟକ ସରକାରଙ୍କ ପଞ୍ଚମ ପାଳିରେ ଯେଉଁ ‘୫-ଟି’ ମନ୍ତ୍ର କୁ ଅସ୍ତ୍ର କରି ଶାସନ ଧାରା ବଦଳାଇବାକୁ ଚେଷ୍ଟା କରିଛନ୍ତି ଆଜି ସେହି ପାଞ୍ଚଟି ମନ୍ତ୍ରକୁ ବିଜେଡି ସଭାପତି ଦଳର ଛାମୁଆ ନେତାଙ୍କ କାନରେ ଫୁଙ୍କିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ସାଧାରଣ ଲୋକ ସବୁ କାର୍ଯ୍ୟର କେନ୍ଦ୍ରବିନ୍ଦୁ | ସେମାନଙ୍କ ହଖ୍ ଦେବା ପାଇଁ ‘୫-ଟି’ ମନ୍ତ୍ର ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ | ‘ମୁଁ ଆଶା କରୁଛି,ସାଧାରଣ ଜନଜୀବନରେ ଖୁସି ଆଣିବା ପାଇଁ ଦଳର ପ୍ରତ୍ୟକ ସଦସ୍ୟ ପରିବର୍ତ୍ତନର ବାର୍ତ୍ତାବହ ହେବା ଉଚ୍ଚିତ’ | ଗାନ୍ଧୀଜୀଙ୍କ ଆଦର୍ଶ ଓ ବିଚାର ଧାରାରେ ଅନୁପ୍ରାଣିତ ହୋଇ ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଦଳର ନେତାମାନଙ୍କୁ ଦିଗ୍ଦର୍ଶନ ଦେଇଥିଲେ |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଚଳିତ ବର୍ଷ ଆମେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଅଛୁ|ଗାନ୍ଧୀଜୀଙ୍କ ଆଦର୍ଶ ଓ ବିଚାରଧାରାରେ ଆଜି ବି ପ୍ରାସଙ୍ଗିକତା ରହିଛି | ତେଣୁ ଗାନ୍ଧୀଜୀଙ୍କ ମୂଲ୍ୟବୋଧ ଓ ଦର୍ଶନର ପ୍ରଚାର ପାଇଁ ବିଭିନ୍ନ ଗାନ୍ଧୀବାଦୀ ଅନୁଷ୍ଠାନ ସହ ମିଶି କାର୍ଯ୍ୟ କରିବା ନିହାତି ଦରକାର | ପ୍ରାରମ୍ଭରେ ନବୀନ ବିଜେଡିର ନିର୍ବାଚନ ସଫଳତା ପାଇଁ ଓଡ଼ିଶାର ଚାରି କୋଟି ଜନତା ଓ ଲକ୍ଷ ଲକ୍ଷ କର୍ମୀଙ୍କ ପାଖରେ କୃତଞ୍ଜତା ଜ୍ଞାପନ କରିଥିଲେ |
ସଭ୍ୟ ସଂଗ୍ରହ ବ୍ୟବସ୍ଥାର ତଦାରଖ କରିବା ପାଇଁ ଗଠନ କରାଯାଇଥିବା କମିଟି ର ଆବାହକ ଦେବୀ ମିଶ୍ରଙ୍କ ଅଧ୍ୟକତାରେ ଆଲୋଚନା କରାଯାଇ ପରିବର୍ଦ୍ଧିତ କାର୍ଯ୍ୟକାରୀ ଆରମ୍ଭ ହବା ପୂର୍ବରୁ ନେତାଙ୍କୁ ଏହି ବିଷୟରେ ବିଶଦ ତଥ୍ୟ ଦିଆଯାଇଥିଲା | ବିଧାୟକ ସଞ୍ଜୟ ଦାସ ବର୍ମା,ପ୍ରତାପ ଦେବ ଓ ସଂସଦ ପ୍ରସନ୍ନ ଆଚାର୍ଯ୍ୟ ଏ ନେଇ ସୂଚନା ଦେଇଥିଲେ | ପ୍ରତି ୱାର୍ଡରେ ୪ଜଣ, ଏନଏସି ରେ ୫ଜଣ,ମୁନିସିପାଲିଟି ରେ ୧୫ଜଣ ଓ ମହାନଗର ନିଗମରେ ୪୦ଜଣ ସକ୍ରିୟ ସଭ୍ୟ ରହିବେ | ଜଣେ ସକ୍ରିୟ ସଭ୍ୟଙ୍କୁ ଅତି କମରେ ୨୪ଜଣ ସଭ୍ୟ କରିବାକୁ ପଡିବ |