ବାସ୍ତବବ୍ୟୁରୋ:ବବି ବାବୁଙ୍କ ପାଠ କମ୍ ବସ୍ତାନୀ ବଡ଼… ଏ କଥା କହିଛନ୍ତି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ | ଏ ଉକ୍ତିର ତାତ୍ପର୍ଯ୍ୟ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ପ୍ରତିଷ୍ଠା ଦିବସ ଭାବେ ପାଳନ କରିବା ପଛରେ ଭର୍ତ୍ତୃହରି ମହତାବଙ୍କର ପ୍ରମୁଖ ଭୂମିକା ରହିଛି। ୧୨ ତାରିଖରେ କଟକରେ ପ୍ରଜାତନ୍ତ୍ରର ବିଷୁବ ମିଳନ କାର୍ଯ୍ୟକ୍ରମରେ ଏକଥା କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେଲାପରି,କଲି ଉପୁଜିଛି ବିଜେପି ବିଜେଡି ମଧ୍ୟରେ |
କଳିର ମଞ୍ଜି ରହିଛି ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ପାଖରେ । ଗତ ୯ ତାରିଖରେ ନୂଆଦିଲ୍ଲୀରେ ଭର୍ତ୍ତୃହରିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ ୧୨ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ,ସିଧାସଳଖ ଭର୍ତ୍ତୃହରିଙ୍କୁ ପ୍ରଶଂସା କରି ବିଜେଡିକୁ କଟାକ୍ଷ କରି କହିଲେ,ବିଜେଡି କ’ଣ ପାଇଁ ଭର୍ତ୍ତୃହରିଙ୍କୁ ଏବେ ଗୁରୁତ୍ବ ଦେଉନି, ତାହା ମୋତେ ଆଶ୍ଚର୍ଯ୍ୟ କରୁଛି।’
ଶ୍ରୀ ପ୍ରଧାନଙ୍କ, ଭର୍ତ୍ତୃହରିଙ୍କୁ ପ୍ରଶଂସା ପରେ ଆଜି ବିଜେଡି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆଜି ଟ୍ବିଟ୍ କରି ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରି କହିଥିଲେ, ‘ଭାଇ, ଆପଣ କଲମ୍ବସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାକୁ ଆବିଷ୍କାର କରିଛନ୍ତି। ମୋର ଅନୁରୋଧ, ଆପଣ ଲାଲକୃଷ୍ଣ ଆଡ଼ଭାନୀ ଜୀ ଓ ମୁରଲୀ ମନୋହର ଯୋଶୀ ଜୀଙ୍କ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିଭଳି ସଦୁପଯୋଗ କରନ୍ତୁ। ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ।’
ଏହି ଟ୍ବିଟ୍ର ଜବାବ ରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଟ୍ବିଟ୍ କରି କହିଛନ୍ତି, ‘ବବି ବାବୁ ଆପଣ ମହତାବଙ୍କ ନାଁ ଶୁଣି ଏତେ ଅସହିଷ୍ଣୁ କାହିଁକି ? ଭର୍ତ୍ତୃହରି ବାବୁଙ୍କ ପ୍ରଚେଷ୍ଟା ଯୋଗୁ ନଭେମ୍ବର ୨୬କୁ ଆଜି ଦେଶ ସମ୍ବିଧାନ ଦିବସ ଭାବେ ପାଳନ କରୁଛି। ତାଙ୍କର ଯୋଗଦାନକୁ ଦଳ ମତ ନିର୍ବିେଶଷରେ ସମସ୍ତେ ପ୍ରଶଂସା କରୁଛନ୍ତି। ମହତାବ ବାବୁ ଓଡ଼ିଆ ଲୋକ ଓ ଆପଣଙ୍କ ଦଳର। ଆପଣ ଖୁସି ହେବା ବଦଳରେ କାହିଁକି ରାଗି ଯାଉଛନ୍ତି? ମହତାବ ପରିବାରର ଦେଶର ସ୍ବାଧୀନତା ସଂଗ୍ରାମ ଓ ଓଡ଼ିଶାର ବିକାଶ ପାଇଁ ଯୋଗଦାନ ବିଷୟରେ ରାଜ୍ୟବାସୀ ଜାଣିଛନ୍ତି। ବବି ବାବୁ ଆପଣ ଏହି କଥା ଆପଣଙ୍କ ବାପାଙ୍କ ଠାରୁ ଶୁଣିଥିବେ। ନ ହେଲେ ବରିଷ୍ଠମାନଙ୍କ ସହ ପରାମର୍ଶ କରି ଆପଣ ମନ୍ତବ୍ୟ ଦିଅନ୍ତୁ। ମୋର ନେତା ଧର୍ମେନ୍ଦ୍ର ପ୍ରଧାନ କଲମ୍ବସ ନୁହନ୍ତି। ସେ ଓଡ଼ିଶାର ବିକାଶ ପାଇଁ ଗୁଣ୍ଡୁଚି ମୂଷାର ଯୋଗଦାନ ଦେଉଛନ୍ତି।’
ଏହା ପରେ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି ଯେ “ନିରାଟ ସତ୍ୟ କଥାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବାରୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ବାବୁ ଟିକିଏ ବିବ୍ରତ ହୋଇ ପଡ଼ିଛନ୍ତି। ବବି ବାବୁଙ୍କ ପାଠ କମ୍ ବସ୍ତାନୀ ବଡ଼। ଓଡିଶା ସମ୍ପର୍କରେ ଏବଂ ଓଡିଶାର ମହାପୁରୁଷଙ୍କ ସମ୍ପର୍କରେ ତାଙ୍କର ଜ୍ଞାନ ଗରିମା କମ୍ ଅଛି। ଯେଉଁମାନେ ଜାତି ଓ ଦେଶ ପାଇଁ କାମ କରିଛନ୍ତି, ତାଙ୍କୁ ସମ୍ମାନ କଲେ ବବି ଭାଇଙ୍କୁ କଷ୍ଟ ଲାଗୁଛି। ଏଭଳି ମନ୍ତବ୍ୟ ଦେଇ ସେ ତାଙ୍କର ଓ ତାଙ୍କ ଦଳର ଗରିମା ନଷ୍ଟ କରିଛନ୍ତି।