
ବାସ୍ତବବ୍ୟୁରୋ :ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ, ଛତିଶଗଡ଼ରୁ ଓଡ଼ିଶାକୁ ଆସୁଥିବା ଟ୍ରେନଗୁଡ଼ିକୁ ଅତି କମରେ ୧୫ ଦିନ ବନ୍ଦ କରିବାକୁ ପତ୍ର ଲେଖି ଅନୁରୋଧ କରିଛନ୍ତି । କରୋନା ସଂକ୍ରମଣ ଦିନକୁ ଦିନ ଛତିଶଗଡ଼ରେ ବଢ଼ୁ ଥିବାରୁ,ଏହି ରାଜ୍ୟରୁ ରେଳ ଚଳାଚଳ ବନ୍ଦ ପାଇଁ ପୁଣି ଥରେ ଓଡ଼ିଶା ସରକାର ଅନୁରୋଧ କରିଛନ୍ତି ।
ଚଳିତ ମାସ ଆରମ୍ଭରେ ଓଡ଼ିଶା ସରକାରଙ୍କ ଅନୁରୋଧକୁ ରେଳ ବୋର୍ଡ ପ୍ରତ୍ୟାଖ୍ୟାନ କରିଦେଇଥିଲା । ରେଳବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା ଗତ ୯ ତାରିଖରେ ଓଡ଼ିଶା ସରକାରଙ୍କୁ ଜଣାଇଥିଲେକି,ଛତିଶଗଡ଼ରୁ ଟ୍ରେନରେ ଆସୁଥିବା ଯାତ୍ରୀମାନଙ୍କୁ ଓଡ଼ିଶା ସରକାର ଠିକଭାବେ ଯାଞ୍ଚ କରିବାର ବ୍ୟବସ୍ଥା କରନ୍ତୁ | ଏ କଥାବି ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଶ୍ରୀ ଶର୍ମା ଜଣାଇଥିଲେ ଯେ ମାର୍ଚ୍ଚ ୨୩ରେ ଗୃହମନ୍ତ୍ରାଳୟର ଆସିଥିବା ଗାଇଡଲାଇନ ଅନୁସାରେ ରେଳ ଚଳାଚଳ ଜାରି ରହିବ । ଏ ପ୍ରସଙ୍ଗରେ ଓଡ଼ିଶା ସରକାର ଗୃହମନ୍ତ୍ରାଳୟ ସହ ଯୋଗାଯୋଗ କରିବା ପାଇଁ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ ।