ବାସ୍ତବବ୍ୟୁରୋ:ନି.ପ୍ର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍ ଘୋଷଣା କରିବା ପରେ,ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ପରୀକ୍ଷା ବାତିଲକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଛାତ୍ର-ଛାତ୍ରୀଙ୍କ ମୂଲ୍ୟାୟନ କେମିତି ହେବ ଏବଂ କେଉଁ ଆଧାରରେ ମାର୍କ ଦିଆଯିବ ସେ ନେଇ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି । ଉଭୟ ରେଗୁରାଲ ଓ ଏକ୍ସରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ସିଏଚଏସଇ ପକ୍ଷରୁ ୧୪ ଜଣିଆ କମିଟି ଗଠନ ହୋଇଛି।ସିବିଏସଇ ପଲିସିକୁ ଅନୁଧ୍ୟାନ କରି କମିଟି ସଦସ୍ୟମାନେ ତର୍ଜମା କରିବେ। ଏହା ପରେ ନିଷ୍ପତ୍ତି ହେବ ଯେ କେଉଁ ଆଧାରରେ ମାର୍କ ଦିଆଯିବ ।
ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଯେଉଁ ସମୟରେ ବାହାରିବ, ସେହି ସମୟରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ। ରାଜ୍ୟର ଛାତ୍ରଛାତ୍ରୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଗୁରୁତ୍ୱ ଦିଆଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।ଉଚିତ୍ ସମୟରେ ଫଳାଫଳ ପ୍ରକାଶ ନେଇ ଉଦ୍ୟମ କରାଯିବ ଏବଂ ଏ ସଂପର୍କରେ ସମସ୍ତ ସୂଚନା ଛାତ୍ର-ଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ମଧ୍ୟ ଶ୍ରୀ ଦାସ କହିଛନ୍ତି ।



