ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଂଗୀତ ସମାରୋହ -‘ଗୁହାରି ୨୦୨୬’

ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୬’ର ଉଦ୍‍ଘାଟନୀ ଉତ୍ସବ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଆରମ୍ଭ ହୋଇଯାଇଅଛି ।

ଏହି ତିନି ଦିନିଆ ସଙ୍ଗୀତ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ ଓ ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭାବଭକ୍ତିପୂର୍ଣ୍ଣ ପାରଂପରିକ ଭଜନ ଓ ଜଣାଣ ପରିବେଷଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରନ୍ତି । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ୨୦୧୨ ମସିହାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଭକ୍ତିର ନିବେଦନ ସ୍ଵରୂପ ‘ଗୁହାରି’ ଶୀର୍ଷକ ଏକ ଅନନ୍ୟ ଭକ୍ତିସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରିଆସୁଅଛି । ଶ୍ରୀଗୁଣ୍ଡିଚା ରଥଯାତ୍ରା ଓ ପବିତ୍ର ବାହୁଡ଼ା ଯାତ୍ରାର ମଧ୍ୟବର୍ତ୍ତୀ ସମୟରେ କ୍ରମାଗତ ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମ ଭକ୍ତି, ସଙ୍ଗୀତ ଓ ଆଧ୍ୟାତ୍ମିକ ଚେତନାର ଏକ ଅପୂର୍ବ ସମନ୍ଵୟ ଭାବେ ଏହା ପରିଗଣିତ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନୁଗ୍ରହ ଓ ସାନ୍ନିଧ୍ୟ ଲାଭକରିଥିବା ମହାନ ଭକ୍ତକବି ଓ ସାଧକମାନଙ୍କ ଅମର ସୃଷ୍ଟି – ଭକ୍ତିରସପୂର୍ଣ୍ଣ ଭଜନ, ଜଣାଣ ଓ ପାରମ୍ପରିକ ସଙ୍ଗୀତକୁ ଉଜ୍ଜୀବିତ ରଖିବା, ଏହାର ସଂରକ୍ଷଣ ଓ ଆଗାମୀ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ହିଁ ‘ଗୁହାରି’ କାର୍ଯ୍ୟକ୍ରମର ମୂଳ ଅଭିପ୍ରାଯ । ଏହି ପବିତ୍ର ପ୍ରୟାସ ମାଧ୍ୟମରେ ଶ୍ରୀଜଗନ୍ନାଥ ସଂସ୍କୃତିର ଅମୂଲ୍ୟ ସଙ୍ଗୀତ ପରମ୍ପରାକୁ ଚିରସ୍ଥାୟୀ ରଖିବା ପାଇଁ ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’ ସଦା ପ୍ରତିବଦ୍ଧ ଓ ଏହାର ମୂଳ ଲକ୍ଷ୍ୟ ।

ଉଦ୍‌ଘାଟନୀ ଉତ୍ସବର ଅତିଥିମାନେ ଥିଲେ ମାନ୍ୟବର ବିଧାୟକ ଏକାମ୍ର-ଭୁବନେଶ୍ୱର ଶ୍ରୀ ବାବୁ ସିଂ, ମାନ୍ୟବର ବିଧାୟକ, କୋରେଇ ଶ୍ରୀ ଆକାଶ ଦାସନାୟକ, ଓଡ଼ିଶୀ ସଙ୍ଗୀତର ଅଗ୍ରଣୀ ଗାୟକ, ସଙ୍ଗୀତଜ୍ଞ ଓ ସଙ୍ଗୀତ ତତ୍ତ୍ୱବିଦ୍ ଗୁରୁ ପ୍ରଫେସର ରାମହରି ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ଼କ୍ଟର ବିଜୟ କେତନ ଉପାଧ୍ୟାୟ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ।

ସଂଧ୍ୟାରେ ପ୍ରଥମେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଶିଳ୍ପୀମାନେ ବୃନ୍ଦ ଗାୟନରେ ଜଗନ୍ନାଥ ସ୍ୱାମୀ ନୟନ ପଥଗାମି ଭବତୁମେ ପରିବେଷଣ କରିଥିଲେ । ପରେ ପରେ ବିଶିଷ୍ଟ ଗାୟକ ରବିନ୍ଦ୍ର କୁମାର ମହାପାତ୍ର ପରିବେଷଣ କରିଥିଲେ ନିତ୍ୟାନନ୍ଦ ଦାସଙ୍କ ଦ୍ୱାରା ରଚିତ ପତିତ ଜନକୁ ଉଦ୍ଧାରିବା ପାଇଁ ଓ ସଦାନନ୍ଦ ଦ୍ଵିଜଙ୍କ ରଚିତ କାହାକୁ ମୁଁ କରିବଇଁ ସାକ୍ଷୀ । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ସୁନାମଧନ୍ୟ ଗାୟିକା ମାନସୀ ପାତ୍ରଙ୍କ ଦ୍ୱାରା ସତେ କି ଏ ଜିବ ଯିବ ଓ ଚାଲ ସଖୀ ଆମ୍ଭେ ଦର୍ଶନ କରିବା । ତା ପରେ ପ୍ରଖ୍ୟାତ ଗାୟକ ଜଗବନ୍ଧୁ ମୁଦୁଲି ପରିବେଷଣ କରିଥିଲେ ଜଗବନ୍ଧୁ ପରି ଜଣେ ସାମନ୍ତ ଓ ଚକାନୟନକୁ ପତିତ କେହି । ପରେ ପରେ ଅର୍ଚ୍ଚନା ପାଢୀ ପରିବେଷଣ କରିଥିଲେ ଦୀନବନ୍ଧୁ ଦଇତାରି ଓ ଥକାମନ ଚାଲ ଯିବା । ତାଙ୍କ ପରେ ଲୋପିତା ବେହେରାଙ୍କ ଦ୍ୱାରା ଦିନବାନ୍ଧବ ହେ ଓ ସବୁ ବନ୍ଧନେ ମୋ ଖୋଲି ଦିଅ ପ୍ରଭୁ ପରିବେଷିତ ହୋଇଥିଲା ।

ପରବର୍ତ୍ତୀ ପ୍ରସ୍ତୁତିରେ ଭଗବାନ ଜେନା ପରିବେଷଣ କରିଥିଲେ ଗୁରୁ ଚନ୍ଦନ ଅଧିକାରିଙ୍କ ଦ୍ୱାରା ରଚିତ ନୀଳଚକ୍ରେ ହୋ ଓ ଅତିବଡି ଜଗନ୍ନାଥ ଦାଶଙ୍କ ଦ୍ୱାରା ରଚିତ ନମସ୍ତେ ପ୍ରଭୁ ଜଗନ୍ନାଥ । ଶେଷରେ ବ୍ରଜମୋହନ ପରିବେଷଣ କରିଥିଲେ ଦୀନକୃଷ୍ଣ ଦାସଙ୍କ ରଚିତ କୃପାସିନ୍ଧୁ ବଦନ କରି ଅବଲୋକନ ଓ ବୀରକିଶୋରଙ୍କ ଦ୍ୱାରା ରଚିତ ଭୂଜ ତଳେ ମୋତେ ରଖ । ସେମାନଙ୍କୁ ଯନ୍ତ୍ରାଂଶରେ ସହଯୋଗ କରିଥିଲେ ତବଲାରେ ଗୋବିନ୍ଦ ଚନ୍ଦ୍ର ବେହେରା, ଢୋଲକରେ ପ୍ରମୋଦ କୁମାର ନନ୍ଦ, ବଂଶୀରେ ଏମ୍‌. ସିମାଦ୍ରୀ, ଅକ୍‍ଟୋପ୍ୟାଡ଼ରେ ଅନିରୁଦ୍ଧ ଧଳ, କିବୋର୍ଡ଼ରେ ବିଭୁପ୍ରସାଦ ତ୍ରିପାଠୀ ଏବଂ ହାରାମୋନିୟମରେ ବସନ୍ତ ମିଶ୍ର ।

ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଶିଳ୍ପୀମାନଙ୍କର ଭକ୍ତିପୁତ ସଙ୍ଗୀତ ପରିବେଷଣ ବେଶ୍‍ ଶ୍ରୃତିମଧୁର ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ବେଶ୍‍ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡ଼କ୍ଟର ମୃତ୍ୟୁଞ୍ଜୟ ରଥ ଓ ଶ୍ରୀ ମୋହନ ମାଜିଠିଆ । ଜଗନ୍ନାଥଙ୍କ ଉପରେ ଏହି ପବିତ୍ର ରଥଯାତ୍ର ସମୟରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏହି ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି’ ଅତ୍ୟନ୍ତ ଉଚ୍ଚାଭିଳାଷ ପଦକ୍ଷେପ । ଏହି ଗୁହାରି ସଙ୍ଗୀତ ଉତ୍ସବର ସିଧା ପ୍ରସାରଣ ଡିଡି-ଭାରତୀ ଚ୍ୟାନେଲରେ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୟୁଟ୍ୟୁବ୍ ଚ୍ୟାନେଲରେ କରାଯାଉଅଛି ।

ସେୟାର କରନ୍ତୁ

Next Post

ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ...

Mon Jul 20 , 2026
କାକଟପୁର(ମାନସ ସାମଲ): କାକଟପୁର-ଅସ୍ତରଙ୍ଗ ମୁଖ୍ୟରାସ୍ତାସ୍ଥିତ ଜିଉନ୍ତିଠାରେ ‘ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ କାକଟପୁର, ଅସ୍ତରଙ୍ଗ, ଗୋପ ବ୍ଲକ ଏବଂ କୋଣାର୍କ ଏନ୍‌ଏସି ଅଞ୍ଚଳରୁ ୨୦୦ରୁ ଉର୍ଦ୍ଧ୍ୱ ସଦସ୍ୟ ଯୋଗଦେଇ ଆଗାମୀ ଦିନର ସମାଜସେବା କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ରାକେଶ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଟ୍ରଷ୍ଟ ସଭାପତି ସତ୍ୟପ୍ରିୟ ବେହେରା, ପଞ୍ଚାୟତ ସମିତି […]

You May Like

Pin It on Pinterest