
ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ଚାଲିଛି ସମସ୍ତ ନୀତିକାନ୍ତି। ଶ୍ରୀଜିଉଙ୍କ ସ୍ନାନଯାତ୍ରା,ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋରରୁ ରତ୍ନବେଦୀ ଛାଡି ଧାଡି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି।
ସକାଳ ସାଢ଼େ ୬ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜମାନ କରିଛନ୍ତି। ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ ହେବ। ଛେରା ପହଁରା,ଏହା ପରେ ୧୨ଟା ୪୫ରୁ ଶ୍ରୀଜିଉଙ୍କ ଗଜ ବେଶ ହେବ। ଏହିସମୟରେ ଭକ୍ତମାନେ ସ୍ନାନବେଦି ତଳେ ଅସ୍ଥାୟୀ ରାମ୍ପ୍ ଦେଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ପରେ ସଂଧ୍ୟା ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ରାତି ସାଢ଼େ ୯ଟାରେ ସାହାଣମେଲା ଦର୍ଶନ ବନ୍ଦ ହେବ ।
ସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର। ଦୁଇବର୍ଷ ପରେ କୋଭିଡ୍ କଟକଣା କୋହଳ ହୋଇଥିବାରୁ ଶ୍ରୀଜିଉ ସ୍ନାନଯାତ୍ରା ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି। ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ ୫୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପାଞ୍ଚସ୍ତରୀୟ ସୁରକ୍ଷା ବଳୟରେ ରହିଛି ପୁରୀ ସହର।
ପହଣ୍ଡି ପୂର୍ବରୁ ଦଇତାପତି ନିଯୋଗ ଓ କୋଠ ସୁଆଁସିଆଙ୍କ ଜରିଆରେ ବାହୁଟ କଣ୍ଟ, ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ଶେଷ ହୋଇଛି। ମଙ୍ଗଳବାର ଦେବସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ଶେଷ ପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ, ବେଶଶେଷ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ। ଗଜ ବେଶ ଶେଷ ପରେ ଅପରାହ୍ନ ୩ଟା ୧୫ରେ ମହନ୍ତ ଶାଢ଼ିବନ୍ଧା, ସାଢ଼େ ୩ଟାରୁ ୫ଟା ଘଣ୍ଟଛତା ସକାଳଧୂପ ଅନୁଷ୍ଠିତ ହେବ।ରାତି ୧୦ଟାରେ ବାହୁଡ଼ା ପହଣ୍ଡି (ଗୋଟି ପହଣ୍ଡି) ଆରମ୍ଭ ହେବ।