
ଭୁବନେଶ୍ୱର ୨୬/୦୬(ଗୌତମ ମିଶ୍ର ): ମନୋଜ ଆହୁଜା ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ନେଇ ଚର୍ଚ୍ଚା ରାଜ୍ୟରେ ଜୋର ଧରିଛି।କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡର ଓଡିଶାକୁ ଫେରାଇଦେବା ପରେ ଏହି ଚର୍ଚ୍ଚା କୁ ବେଶ ଖୋରାକ ମିଳିଛି ।
କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ଓଡିଶା ଫେରାଇ ଆଣିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ ।ଏହାକୁ କେନ୍ଦ୍ର ସରକାର ଗ୍ରହଣ କରିବା ପରେ ସେ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏବେ ମନୋଜ ଆହୁଜା କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାମ କରୁଛନ୍ତି ।
ମନୋଜ ଆହୁଜା ବରିଷ୍ଠ ଓଡିଶା ଆଇଏଏସ ଅଧିକାରୀ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ୧୯୮୯ ବ୍ୟାଚର ଆଇଏଏସ୍ । ତାଙ୍କର ଛଅ ମାସିଆ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ ୩୦ତାରିଖରେ ଶେଷ ହେଉଛି । ମନୋଜ ଆହୁଜାଙ୍କ ସହ ନୀତିନ ଚନ୍ଦ୍ରା, ସଞ୍ଜୀବ ଚୋପ୍ରା, ଜି ଶ୍ରୀନିବାସ ତଥା ମନୋଜଙ୍କ ପତ୍ନୀ ଆରତି ଆହୁଜା ୧୯୯୦ ବ୍ୟାଚର ଆଇଏଏସ । ଆରତି ଅବସର ନେଇ ସାରିଥିବା ବେଳେ ଅନ୍ୟମାନେ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ମନୋଜ ଆହୁଜାଙ୍କୁ ବାଛିଛନ୍ତି ରାଜ୍ୟ ସରକାର ।
ବିଜେଡି ସରକାର ବେଳେ ରାଜ୍ୟ ଶାସନ ବ୍ୟବସ୍ଥାର ସବୁଠୁ ଶକ୍ତିଶାଳୀ ଅଙ୍ଗ ବ୍ୟବସ୍ଥାପିକା ବିରୋଧରେ ରାଜନୈତିକ ପକ୍ଷପାତିତା ଅଭିଯୋଗ ହୋଇ ଆସୁଥିଲା। ବିଶେଷ କରି ବିଜେଡି ବାବୁ ଭାବେ ଜଣାଶୁଣା କିଛି ଅଧିକାରୀଙ୍କୁ ନେଇ ସମାଲୋଚନା ହେଉଥିଲା। ୨୦୦୦ ବ୍ୟାଚର ଆଇଏଏସ ଭିକେ ପାଣ୍ଡିଆନ ଆଇଏଏସ ଚାକିରି ଛାଡି ୨୦୨୩ ନଭେମ୍ବରରେ ବିଜେଡିରେ ସାମିଲ ହେବା ପରେ ଏହି ଚର୍ଚ୍ଚା ଆହୁରି ବଢିଲା । ସରକାରୀ ଅଧିକାରୀଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଲା । ତେଣୁ ନୂଆ ସରକାର ଆସିବା ସହ ରାଜ୍ୟରେ ବ୍ୟୁରୋକ୍ରାସିର ଚେହେରା ବଦଳାଇବାକୁ ଚାହୁଁଛି ବିଜେପି ସରକାର। ଏଭଳି ସ୍ଥିତିରେ ମନୋଜ ଆହୁଜାଙ୍କ ପରି ଜଣେ ନିରପେକ୍ଷ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ବସାଇପାରନ୍ତି ରାଜ୍ୟ ସରକାର ।
ସେ ରାଜ୍ୟରେ ଇସ୍ପାତ ଓ ଖଣି ସଚିବ, ବାଣିଜ୍ୟିକ କର କମିଶନର ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିଲେ । ପରେ କେନ୍ଦ୍ରରେ ସିବିଏସଇ ଅଧ୍ୟକ୍ଷ, କୃଷି ଓ କୃଷକ କଲ୍ୟାଣ ସଚିବ ଭାବେ କାମ କରିଛନ୍ତି । ରାଜ୍ୟ ବ୍ୟବସ୍ଥାପିକା ଉପରେ ରାଜନୈତିକ ଦଳର ପ୍ରଭାବକୁ ନେଇ ବାରମ୍ବାର ସମାଲୋଚନା କରାଯାଉଥିବା ବେଳେ ମନୋଜ ଆହୁଜା ନିୟମକୁ କଡାକଡି ଭାବେ ପାଳନ କରୁଥିବା ଜଣେ ଦକ୍ଷ ଅଧିକାରୀ ଭାବେ ମୁଖ୍ୟ ସଚିବ ହୋଇପାରନ୍ତି ।
ରାଜ୍ୟ ସରକାରରେ କେବଳ କେଭି ସିଂହଦେଓଙ୍କୁ ଛାଡିଦେଲେ ବାକି ସମସ୍ତ ମନ୍ତ୍ରୀ ନୂଆ । ଏପରି ସ୍ଥିତିରେ ନୂଆ ବ୍ୟୁରୋକ୍ରାଟ୍ ଟିମ ନରଖିଲେ ଅସୁବିଧାରେ ପଡିପାରନ୍ତି ସରକାର । ଜନତାଙ୍କ ଆଗରେ ଅପଦସ୍ତ ହେବାକୁ ପଡିପାରେ । ଗତ ୨୪ବର୍ଷ ହେଲା ବିଜେଡି ପୂରା ବ୍ୟବସ୍ଥାପିକାକୁ ନିଜ ନିୟନ୍ତ୍ରଣରେ ରଖିଥିଲା । ନବୀନ ସରକାରରେ ବ୍ୟବସ୍ଥାପିକାର ପ୍ରତିଟି ପାହାଚରେ ବିଜେଡିର ବିଶ୍ବସ୍ତ ଅଧିକାରୀ ରହିଥିଲେ । ଏପରିକି ବିଜେଡି ପାଇଁ କିଛି ଅଧିକାରୀ ସିଧାସଳଖ କାମ କରୁଥିବା ନେଇ ବି ଅଭିଯୋଗ ହେଉଥିଲା । ତେଣୁ ମୋହନ ସରକାରକୁ ନିଜକୁ ପ୍ରମାଣିତ କରିବାକୁ ହେଲେ ସଂପୂର୍ଣ୍ଣ ବ୍ୟୁରୋକ୍ରାସିକୁ ସ୍ବଚ୍ଛ କରିବା ସହ ନିଜ ନିୟନ୍ତ୍ରଣରେ ରଖିବାକୁ ପଡିବ । ସେ ଦୃଷ୍ଟିରୁ ମନୋଜ ଆହୁଜାଙ୍କୁ ଓଡିଶା ପଠାଇବା ପଛରେ ବିଜେପି ଶୀର୍ଷ ନେତୃତ୍ବଙ୍କ ଭୂମିକା ରହିଥିବା କୁହାଯାଉଛି ।
ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ ୩୦ତାରିଖରେ ସରୁଛି । ତେଣୁ ତାଙ୍କ ଅବସର ପୂର୍ବରୁ ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁରେ ମୋହର ମାରିପାରନ୍ତି ରାଜ୍ୟ ସରକାର । ତେବେ ମନୋଜ ଆହୁଜା ଆସନ୍ତା ଡିସେମ୍ବର ମାସରେ ଅବସର ନେବେ । ତେବେ ସେ ଯଦି ମୁଖ୍ୟ ଶାସନ ସଚିବ ହୁଅନ୍ତି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ । ଏଥିସହ ରାଜ୍ୟରେ ପ୍ରଶାସନିକ ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ ହୋଇପାରେ ।