ସୁଭଦ୍ରା ଯୋଜନା ପାଇଁ ସରକାର ଜାରି କଲେ ଗାଇଡଲାଇନ୍…

ବାସ୍ତବ ବ୍ୟୁରୋ: ଆଜି ରାଜ୍ୟ ସରକାର ସୁଭଦ୍ରା ଯୋଜନାକୁ ନେଇ ଜାରି କରିଛନ୍ତି ଗାଇଡଲାଇନ୍ । ଗାଇଡଲାଇନ୍ ରେ କେଉଁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରା‌ଯିବ ଓ କିଭଳି ସାମିଲ କରାଯିବ ତାହା ଉଲ୍ଲେଖ କରାଯାଇଛି । ରାଜ୍ୟର ୨୧ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍ ସମସ୍ତ ଯୋଗ୍ୟ ମହିଳାମାନେ ଏହି ଟଙ୍କା ପାଇପାରିବେ । 

ପୂର୍ବରୁ ଏହି ଯୋଜନାରେ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ସରକାର। ତେବେ ଗାଇଡଲାଇନ୍ ରେ ବାର୍ଷିକ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ସରକାର। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧ କୋଟିରୁ ଅଧିକ ମହିଳା ଲାଭାନ୍ବିତ ହେବେ । ପ୍ରତ୍ୟେକ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତିକ ମହିଳା ଦିବସରେ ୫ହଜାର ଟଙ୍କା ଲେଖାଏଁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ କରାଯିବ । ତେଣୁ ୫ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ହଜାର ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଆଧାର ପେମେଂଟ ବ୍ରିଜ୍ ସିଷ୍ଟମ(ଏପିବିଏସ) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଡିବିଟି ବ୍ୟାଙ୍କ ଆକାଉଣ୍ଟାକୁ ସିଧାସଳଖ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହାସହିତ ହିତାଧିକାରୀମାନଙ୍କୁ ‘ସୁଭ୍ରଦା’ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।

ଗାଇଡଲାଇନ୍ ମୁତାବକ, ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା, ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ I ଏହାସହ କୌଣସି ସରକାରୀ ଯୋଜନାରେ ମାସିକ ୧୫୦୦ ଟଙ୍କା କିମ୍ବା ତାଠୁ ଅଧିକ ଅଥବା ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତଦୁର୍ଦ୍ଧ୍ୱ ସହାୟତା ରାଶି ପାଉଥିବା ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ୍ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି କୁହାଯାଇଛି।

ତେବେ ଏହି ଯୋଜନାରେ ସାମିଲ୍ ହେବାକୁ ଆବେଦନ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବେ ଯେକୌଣସି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଆବେଦନ‌କାରୀ ଆବେଦନ କରି ପାରିବେ । ଏଥିପାଇଁ ନିଜ ଅଞ୍ଚଳର ଅଙ୍ଗନବାଡ଼ି କର୍ମୀଙ୍କ ସହ ଯୋଗାଯୋଗ କରିପାରିବେ ଲୋକେ । ଖାଲି ସେତିକି ନୁହେଁ ନିଜ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଲୋକେ ଏହି ବହୁମୁଖୀ ଯୋଜନାରେ ସାମିଲ ହେବାକୁ ଆବେଦନ କରି ପାରିବେ । ଏଣୁ ଯୋଜନାରେ ସାମିଲ୍ ହେବାକୁ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ବ୍ଲକ ଅଫିସରେ ଏ ବିଷୟରେ ସବିଶେଷ ବିବରଣୀ ପାଇ ପାରିବେ ଲୋକେ । ତା ସହିତ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ଯୋଜନାରେ ସାମିଲ୍ ହେବାକୁ ଆବେଦନ ସମ୍ପର୍କିତ ସମସ୍ତ ତଥ୍ୟ ପାଇବା ସହ ଆବେଦନ କରି ପାରିବେ ଲୋକେ।

ସେୟାର କରନ୍ତୁ

Next Post

'ଚନ୍ଦ୍ର ର ସ୍ପର୍ଶ ହିଁ ଜୀବନର ସ୍ପର୍ଶ'-ପାଳିତ ହେଲା ଜାତୀୟ ମହାକାଶ ଦିବସ....

Fri Aug 23 , 2024
ବରଗଡ଼୨୩.୮(ନବୀନ କୁମାର ଦାଶ): ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଜାତୀୟ ମହାକାଶ ଦିବସ ପାଳିତ ହୋଇ ଯାଇଛି। କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଲରମ୍ଭା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିନୟ କୁମାର ନାୟକ, ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ରବିନ୍ଦ୍ର କୁମାର ନାଏକ ମଂଚାସୀନ […]

You May Like

Pin It on Pinterest