ବାସ୍ତବ ବ୍ୟୁରୋ: ରାଜ୍ୟ ସରକାର ଆସନ୍ତା ୯ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ପର୍ବ ପାଇଁ ପଶ୍ଚିମ ଓଡ଼ିଶାରେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିରେ ଚଳିତ ବର୍ଷ ନୂଆଖାଇ ପର୍ବ ପାଳନ ହେବା ନେଇ ସମ୍ବଲପୁରର ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧିାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ହୋଇଥିବା ଲଗ୍ନ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସ ୮ ତାରିଖ ପୂର୍ବାହ୍ଣ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବ।
ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ହୋଇଥିବା ନୂଆଖାଇ ଲଗ୍ନ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବ। ଏହା ପରେ ପଶ୍ଚିମ ଓଡ଼ିଶାରେ ଅନ୍ୟସ୍ଥାନଗୁଡ଼ିକରେ ଥିବା ଦେବାଦେବୀଙ୍କ ଠାରେ ନୂଆ ଲାଗିବ।
ଏହି ପରିପ୍ରେକ୍ଷୀରେ, ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପାଳନ ହେବ। ଏହି ଦିନ ରବିବାର ପଡୁଥିବାରୁ ସେପ୍ଟେମ୍ବର ୯ ତାରିଖ ଦିନ (ସୋମବାର) ସରକାରୀ ଛୁଟି ରହିବ। ଫଳରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଓ ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବ।