ବାସ୍ତବ ବ୍ୟୁରୋ: ସମ୍ଭାବ୍ୟ ଯୁଦ୍ଧ ପାଇଁ ବିଭିନ୍ନ ରାଜ୍ୟକୁ ମକ୍ଡ୍ରିଲର ଅଭ୍ୟାସ୍ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଦେଶବ୍ୟାପୀ ୨୫୯ଟି ସ୍ଥାନରେ ଏହି ମକ୍ ଡ୍ରିଲ୍ ବା ସୁରକ୍ଷା ପ୍ରସ୍ତୁତି ଅଭ୍ୟାସ କରାଯିବ। ଏହି ଅଭ୍ୟାସରେ ମୁଖ୍ୟତଃ ବିମାନ ଆକ୍ରମଣ ସାଇରନ୍ ଏବଂ ବ୍ଲାକଆଉଟ୍ ଭଳି ପରିସ୍ଥିତିର ପ୍ରଥମ ସତର୍କତା କେମିତି ଅବଲମ୍ବନ କରାଯିବ ସେ ନେଇ ଅଭ୍ୟାସ ଏବଂ ତାଲିମ ଉପରେ ଧ୍ୟାନ ଦିଆଯିବ।
ଓଡ଼ିଶାର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ହେବ। ରାଜ୍ୟର ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ ଏହା ହେବ। ତାଳଚେରରେ କାଟେଗୋରି ୱାନ୍ ସ୍ଥାନ ଭାବେ ଚି଼ହ୍ନଟ ହୋଇଥିବାବେଳେ, କାଟେଗୋରି ଟୁ ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଏବଂ ରାଉରକେଲା ଏବଂ କାଟେଗୋରି ଥ୍ରି ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ରହିଛି। ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ସପ୍ତାହେ ଯାଏ ଚାଲିବ। ଏଥିରେ ଏନସିସି, ସ୍ବେଚ୍ଛାସେବୀ ସଂଗଠନ, ଆପଦାମିତ୍ରଙ୍କୁ ବି ସାମିଲ କରାଯିବ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ ଆସନ୍ତାକାଲି ଅପରାହ୍ଣ ୪ଟାରେ ସାଇରନ୍ ବାଜିବ। ୫ମିନିଟ ଧରି ସାଇରନ ବାଜିବ। ଯୁଦ୍ଧକୁ କେଉଁଭଳି ମୁକାବିଲା କରିହେବ ସେଥିପାଇଁ ଏ ପ୍ରସ୍ତୁତି କରାଯିବ। କେଉଁ ଅଞ୍ଚଳରେ ମକ୍ ଡ୍ରିଲର ଆବଶ୍ୟକତା ରହିଛି ସେନେଇ ଜିଲ୍ଲା କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଲୋକଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ବ। ପକ୍କା ଘରେ ନିଜକୁ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରାଯିବ। କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ପଦକ୍ଷେପ ନିଆଯିବ। ଯୁଦ୍ଧ ସମୟରେ ରେଡ୍ କ୍ରସ ଓ ଗୋଳାବାରୁଦ ସଂରକ୍ଷଣ ସ୍ଥାନକୁ ଆକ୍ରମଣ କରାଯାଏ ନାହିଁ। ତେଣୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି, କେମିତି ସୁରକ୍ଷିତ ରଖିହେଵ। ଏବେ ସୁଦ୍ଧା ଯୁଦ୍ଧ ହୋଇନାହିଁ । କିନ୍ତୁ ଯଦି ହୁଏ ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛୁ। ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲା ଓ ସହରାଞ୍ଚଳରେ ମକ୍ ଡ୍ରିଲ୍ ହେବ।
ସେହିପରି ବରିଷ୍ଠ ପୁଲିସ ଅଧିକାରୀ ଶ୍ରୀ ଦାସ କହିଛନ୍ତି ରାଜଧାନୀ ଭୁବନେଶ୍ବରରେ ପ୍ରଥମ ସାଇରନ୍ର ୧୫ ମିନିଟ ପରେ ଆଉ ଏକା ସାଇରନ୍ ବାଜିବ। ଦ୍ଵିତୀୟ ଥର ସାଇରନ ଶୁଣିବା ପରେ ଲୋକେ ଘରୁ ବାହାରିପାରିବେ। ମକ୍ ଡ୍ରିଲ୍ କ’ଣ ସେନେଇ ଲୋକଙ୍କୁ ସଚେତନ କରାଯିବ। ଯଦି ଯୁଦ୍ଧ ପରିସ୍ଥିତି ଆସେ ଓ ବୋମା ବର୍ଷଣ ହୁଏ ତେବେ କିଭଳି ସୁରକ୍ଷିତ ରହିବେ ସେନେଇ ମକ ଡ୍ରିଲ ହେବ।