ପୁରୀ ପ୍ରଶାସନ କରୁଛି କ’ଣ? ଶ୍ରୀମନ୍ଦିର ଜମିକୁ ବେଧଡ଼କ ଚାଲିଛି ଜବରଦଖଲ….

ପୁରୀ(ଜୟକୃଷ୍ଣଦାସ): ପୁରୀ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିରେ ନିର୍ମାଣକୁ ନେଇ ପୁଣିଥରେ ଅଭିଯୋଗ ଓ ପ୍ରଶ୍ନ ଉଠିଛି। ଗୁଣ୍ଡିଚା ମନ୍ଦିର ପଛପଟ ରାସ୍ତା, ବସ୍‌ଷ୍ଟାଣ୍ଡ ଆଉଟ୍‌ଗେଟ୍‌ ନିକଟସ୍ଥ କରୁଣା ମେଡିସିନ୍‌ ପାଖରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିରେ ଅନୁମତି ନେଇ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଉକ୍ତ ଜମିରେ ଘର ନିର୍ମାଣ ପାଇଁ ଅନୁମତି ନିଆଯାଇଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସେଠାରେ ହୋଟେଲ ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ମାଣାଧୀନ କୋଠାରେ ଲିଫ୍ଟ ମଧ୍ୟ ଲଗାଯାଉଥିବା ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚା ଜୋର ଧରିଛି।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଯଦି ଏହା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି, ତେବେ କେଉଁ ଆଧାରରେ ଏଠାରେ ନିର୍ମାଣ ପାଇଁ ଅନୁମତି ମିଳିଲା? ଘର ନିର୍ମାଣ ପାଇଁ ନିଆଯାଇଥିବା ଅନୁମତିର ଆଧାରରେ ହୋଟେଲ ନିର୍ମାଣ ହେଉଛି କି ନାହିଁ, ତାହାର ଯାଞ୍ଚ କରାଯିବା ଆବଶ୍ୟକ ବୋଲି ଦାବି ହେଉଛି।

ଏହି ନିର୍ମାଣ ସମ୍ପର୍କରେ ପୁରୀ ପ୍ରଶାସନର ପ୍ଲାନିଂ ବିଭାଗର ଅନୁମତି କିପରି ମିଳିଲା, ଅନୁମତିପତ୍ରରେ କ’ଣ ଉଲ୍ଲେଖ ରହିଛି ଏବଂ ଅନୁମୋଦିତ ପ୍ଲାନ୍‌ ଅନୁଯାୟୀ ନିର୍ମାଣ ହେଉଛି କି ନାହିଁ—ଏସବୁ ନେଇ ସ୍ପଷ୍ଟତା ଆବଶ୍ୟକ।

ଅଭିଯୋଗରେ ପ୍ଲାନିଂ ଅଫିସର ସୁଶାନ୍ତ ଭୋଇ ଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନର ମୁଖିଆ ଅରବିନ୍ଦ ପାଢ଼ୀ ଙ୍କ ନଜରକୁ ଏହି ଘଟଣା ଆସିଛି କି ନାହିଁ ଏବଂ ଜମିର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଇଛି, ତାହା ମଧ୍ୟ ଜାଣିବା ଦରକାର।

ସ୍ଥାନୀୟ ମହଲରେ ଏବେ ଗୋଟିଏ ମାତ୍ର ପ୍ରଶ୍ନ—ଶ୍ରୀଜଗନ୍ନାଥଙ୍କ ଜମିରେ ନିର୍ମାଣ ପାଇଁ ଅନୁମତି ଦେଲା କିଏ? ଅନୁମତି ଘର ପାଇଁ ଥିଲା ନା ହୋଟେଲ ପାଇଁ? ଏବଂ ନିର୍ମାଣାଧୀନ କୋଠାର ବାସ୍ତବ ବ୍ୟବହାର କ’ଣ ହେବ?

ଘଟଣାର ନିରପେକ୍ଷ ତଦନ୍ତ କରି ଜମିର ରେକର୍ଡ, ଅନୁମୋଦିତ ପ୍ଲାନ୍‌, ନିର୍ମାଣ ଅନୁମତି ଓ ବର୍ତ୍ତମାନ ଚାଲିଥିବା ନିର୍ମାଣର ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି।

ସେୟାର କରନ୍ତୁ

You May Like

Pin It on Pinterest