
ଦୋକାନ ବଜାର ବନ୍ଦ, ରାସ୍ତାରେ ଅଟକିଲା ଯାନବାହନ; ଯାତ୍ରୀ ହନ୍ତସନ୍ତ
ରାୟଗଡ଼ା(ପ୍ରଭାକର ରତ୍ନାଲୁ): ବିଭିନ୍ନ ଦାବି ନେଇ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଓ ଗଣସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ରାୟଗଡ଼ା ଜିଲ୍ଲାରେ ବ୍ୟାପକ ଭାବେ ପରିଲକ୍ଷିତ ହୋଇଛି।
ଆଜି ପୂର୍ବାହ୍ନ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ରାୟଗଡ଼ା ସହରର କପିଳାଶ ଛକରୁ କୋରାପୁଟ ଛକ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇଥିଲା।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ଆଇନ ପ୍ରତ୍ୟାହାର, ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଏବଂ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ ଆଦି ଦାବି ନେଇ ଏହି ବନ୍ଦ ପାଳନ କରାଯାଇଛି।
କଂଗ୍ରେସ ବିଧାୟକ ଆପୋଲ ସ୍ୱାମୀ କାଡ୍ରାକାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ସମର୍ଥକମାନେ ବନ୍ଦ ପାଳନରେ ସାମିଲ ହୋଇଥିଲେ। ସହରର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।
ବସ୍ ଚଳାଚଳ ବନ୍ଦ ରହିବା ଯୋଗୁଁ ଦୂରଦୂରାନ୍ତର ଯାତ୍ରୀମାନେ ଯାତାୟାତରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବସ୍ଷ୍ଟାଣ୍ଡ ଓ ବିଭିନ୍ନ ଛକରେ ଯାତ୍ରୀମାନେ ଗାଡ଼ିକୁ ଅପେକ୍ଷା କରି ରହିଥିବା ଦେଖାଯାଇଥିଲା।
ବନ୍ଦକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। କଂଗ୍ରେସର ବହୁ ପ୍ରମୁଖ ନେତା ଓ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।


