
କାକଟପୁର(ମାନସସାମଲ):୧୪/୧୧-ମଧୁବାବୁ ପେନ୍ସନ୍ ଯୋଜନାରେ କାକଟପୁର ବ୍ଲକ୍ର ୧୬ଟି ପଞ୍ଚାୟତରୁ ନୂତନ ଭାବେ ୨୮୯୨ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି। ଏହି ନୂତନ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ ଉଦ୍ଦେଶ୍ୟରେ ଶୁକ୍ରବାର କାକଟପୁର ବ୍ଲକ୍ ପରିସରରେ ଏକ ସ୍ୱତନ୍ତ୍ର ଭତ୍ତା ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ବ୍ଲକ୍ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, କାକଟପୁର ବ୍ଲକ୍ ଅଧ୍ୟକ୍ଷ ଶ୍ରୀଧର ନାୟକ ଓ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରୋଜାଲିନ୍ ବେହେରା ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ନୂତନ ଭାବେ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଏକକାଳୀନ ଦୁଇ ମାସର ଭତ୍ତା ବାବଦକୁ ଜଣପିଛା ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ର ସମସ୍ତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ରହିଥିଲେ।
ନୂତନ ହିତାଧିକାରୀଙ୍କୁ ପେନ୍ସନ୍ ଯୋଜନାରେ ସାମିଲ କରାଯିବା ଦ୍ୱାରା ବ୍ଲକ୍ ଅଞ୍ଚଳର ଅସହାୟ ଓ ଆର୍ଥିକ ଦୁର୍ବଳ ବର୍ଗର ଲୋକମାନେ ସାମାଜିକ ସୁରକ୍ଷା ପାଇବାରେ ସହାୟତା ପାଇବେ।



