ବାସ୍ତବ ବ୍ୟୁରୋ : ସାପ୍ତାହିକ ସଟ୍ଡାଉନ୍ ତାଲିକାରେ ଯୋଡ଼ି ହୋଇଛି ରାଜ୍ୟର ଆହୁରି ୩ଟି ଜିଲ୍ଲା । ଜିଲ୍ଲା ପ୍ରଶାସନର ଘୋଷଣା ଅନୁସାରେ ଜୁଲାଇ ମାସରେ ନୟାଗଡ଼, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ସାପ୍ତାହିକ ସଟ୍ଡାଉନ୍ ହେବ ।
ଏହି ୩ଟି ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସେବା ଓ ସ୍ୱାସ୍ଥ୍ୟ ସେବାକୁ ବାଦ ଦେଲେ ଜୁଲାଇ ମାସ ଶେଷ ଯାଏଁ ବାଣିଜ୍ୟିକ ପ୍ରତିଷ୍ଠାନ, ବ୍ୟକ୍ତିଗତ ଯାନବାହନ ଚଳାଚଳ, ହେଟେଲ, ରେଷ୍ଟୁରାଣ୍ଟ ଓ ବାର ବନ୍ଦ ରହିବ ।
ଏହି ୩ଟି ଜିଲ୍ଲା କୁ ମିଶାଇ ରାଜ୍ୟରେ ସଟ୍ଡାଉନ ତାଲିକାରେ ୧୩ଟି ଜିଲ୍ଲା ସାମିଲ ହୋଇଛି । ପୂର୍ବରୁ ୧୦ଟି ଜିଲ୍ଲାକୁ ସଟ୍ଡାଉନ ତାଲିକାରେ ରଖାଯାଇ ଥିଲା । ଏଗୁଡ଼ିକ ହେଲା ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତ୍ସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ା ।
ତେବେ, ଦିନକୁ ୧୭ ଘଣ୍ଟା ସଟ୍ଡାଉନ ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ । ଅପରାହ୍ନ ୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ଡାଉନ ଘୋଷଣା କରାଯାଇ ଅଛି, ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମିତି ମିଳିଛି ।ନୟାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୩ଟି ଓ୍ଵାର୍ଡରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରା ଯାଇଛି । ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୭ଟାରୁ ଖୋଲିବ ଏବଂ ଅପରାହ୍ନ ୨ଟାରେ ବନ୍ଦ ରହିବ ।




