ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୦୩୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୯୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୦୫୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୫୮୬୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜଧାନୀରେ ଆଜି ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି ମୋ ବସ୍ କର୍ମଚାରୀ ।
ଅଗଷ୍ଟ ଗାଇଡ୍ ଲାଇନ ଅନୁଯାୟୀ ଆଜି(ସୋମବାର)ଠୁ ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ପାର୍କ । ସେହିପରି ମଲ୍ ଏବଂ ସିନେମା ହଲ ଗୁଡିକ ଖୋଲିବା ପୂର୍ବରୁ ସାନିଟାଇଜ୍ କରାଯାଇଛି । ଭିଡ଼ ଏଡ଼ାଇବାକୁ ମଲ ଗୁଡିକରେ ଲଗାଇଯାଇଛ ଫୁଟ୍ କାଉଣ୍ଟ ମେସିନ୍ ।
ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ କୋଭିଡ୍ ହସ୍ପିଟାଲ୍ ଏବେ ବନ୍ଦ ହୋଇସାରିଛି । ଏମ୍କେସିଜିରେ ଦୁଇଟି ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ୍ (ଡିସିଏଚ୍)ରୁ ଗୋଟିଏ (ଡିସିଏସ୍-୨) ବନ୍ଦ ହୋଇଛି । ଏଠାରେ ଚିକିତ୍ସିତ ହେଉଥିବା ୧୩ ଜଣ ରୋଗୀଙ୍କୁ ଡିସିଏଚ୍-୧କୁ ସ୍ଥାନାନ୍ତର କରାଯାଇଛି । ୬ ଜଣ ଆଇସିୟୁରେ, ଯେଉଁମାନଙ୍କ ମଧ୍ୟରୁ ୩ ଜଣ ଭେଣ୍ଟିଲେଟରରେ ଏବଂ ଅନ୍ୟ ୭ଜଣ ସାଧାରଣ ରୋଗୀ ରହିଛନ୍ତି ।
ଆଜିଠାରୁ ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ସୋମବାର ସକାଳ ୬ଟାରେ ପ୍ରଥମେ ମୁଖ୍ୟ ଫାଟକ ଖୋଲିବା ପରେ ଦେଖିବାକୁ ମିଳିଥିଲା ପର୍ଯ୍ୟଟକଙ୍କ ଗହଳି। ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ଟିକେଟ କରିବା ଅନିବାର୍ଯ୍ୟ ଥିବା ବେଳେ, ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ୍ କରି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।
ଆସନ୍ତା ୩ ତାରିଖରୁ ମା’ ସମଲେଶ୍ବରୀଙ୍କ ମନ୍ଦିର ଖୋଲିବ । ସକାଳ ୬ରୁ ଦିନ ୧୧ଟା ୩୦ ଓ ଅପରାହ୍ନ ୩ଟାରୁ ୭ଟା୩୦ ଯାଏଁ ଶ୍ରଦ୍ଧାଳୁ କରିପାରିବେ ଦର୍ଶନ । ସୋମବାର ବ୍ୟତୀତ ସପ୍ତାହର ସବୁଦିନ ମନ୍ଦିର ଖୋଲାରହିବ । ସୋମବାର ଦିନ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି ।
ଓଡ଼ିଶାର ହୀରାକୁଦରେ ଥିବା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଏହାର ପ୍ଲାଣ୍ଟରେ ନୂଆ ନିବେଶ କରିବା ନେଇ ଜଣାପଡ଼ିଛି । ଆଦିତ୍ୟ ବିର୍ଲା ଗ୍ରୁପ୍ର ଏହି ପ୍ଲାଣ୍ଟର ଫ୍ଲାଟ୍ ରୋଲିଙ୍ଗ୍ କ୍ଷମତା ବଢ଼ାଇବା ପାଇଁ ପୁଞ୍ଜିନିବେଶ କରାଯିବ । ହୀରାକୁଦ ସମେତ ଦେଶରେ ଥିବା ଏହାର ୩ଟି ପ୍ଲାଣ୍ଟରେ କମ୍ପାନି ମୋଟ ୮,୦୦୦ରୁ ୧୦,୦୦୦ କୋଟି ଟଙ୍କା ନିବେଶ ଲାଗି ଯୋଜନା କରୁଛି ।
ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୦,୧୩୪ କରୋନା ଜନିତ ନୂତନ ସଂକ୍ରମଣ ଓ ୪୨୨ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୧୬,୯୫,୯୫୮ ଓ ମୃତ୍ୟୁସଂଖ୍ୟା ୪,୨୪,୭୭୩ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୬,୯୪୬ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୦୮,୫୭,୪୬୭ରେ ପହଞ୍ଚିଛି । ଏହା ବ୍ୟତୀତ , ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୧୩,୭୧୮।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ସୋମବାର) ଇଲେକ୍ଟ୍ରୋନିକ୍ ଭାଉଚରଭିତ୍ତିକ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ‘ଇ-ରୁପି’ର ଶୁଭାରମ୍ଭ କରିବେ । ଏ ନେଇ ଆୟୋଜିତ ହେବାକୁ ଥିବା ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇ-ରୁପି ଶୁଭାରମ୍ଭ କରିବା ପରେ ଉଦ୍ବୋଧନ ଦେବେ ।
କରୋନାକୁ ନେଇ ବିଶେଷଜ୍ଞଙ୍କ କଡା ଚେତାବନୀ । ଚଳିତ ମାସରେ ଆସିପାରେ ଭାରତରେ କରୋନାର ତୃତୀୟ ଲହର । କରୋନାର ତୃତୀୟ ତରଙ୍ଗ ଅଗଷ୍ଟ ମାସରେ ଆସିପାରେ । ଯେଉଁଥିରେ ପ୍ରତିଦିନ ଏକ ଲକ୍ଷ କରୋନା ମାମଲା ରିପୋର୍ଟ ହେବ । ଅଗଷ୍ଟ ମାସରେ ଆରମ୍ଭ ହେବାକୁ ଥିବା ତୃତୀୟ ଲହର ଅକ୍ଟୋବରରେ ଶିଖର ଛୁଇଁପାରେ । ଦ୍ୱିତୀୟ ଲହରରେ ଥିବା ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଅମ୍ଳଜାନ, ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀକୁ ପୂର୍ବରୁ ଉପଲବ୍ଧ ରଖିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି ।
ରବିବାର ରାତି ପ୍ରାୟ ୮.୩୦ରେ ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ବାରି ବ୍ରାହ୍ମଣ ଅଞ୍ଚଳରେ ୪ଟି ସନ୍ଦିଗ୍ଧ ଡ୍ରୋନ୍ ଦୃଶ୍ୟମାନ ହୋଇଥିଲା। ସେଥିରୁ ଗୋଟିଏ ଡ୍ରୋନ୍ ଆର୍ମି କ୍ୟାମ୍ପ୍ ନିକଟରେ ଉଡୁଥିବା ଦେଖାଯାଇଥିଲା ବୋଲି ସାମ୍ବା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରାଜେଶ ଶର୍ମା କହିଛନ୍ତି।
ଟୋକିଓ ଅଲିମ୍ପିକ୍ସ୍ ରେ ଆଜି ଅଲିମ୍ପିକ୍ ଷ୍ଟାଡିୟମ୍ର ଟ୍ରାକ୍-୨ରେ ଆୟୋଜିତ ୨୦୦ ମିଟର୍ ମହିଳା ଦୌଡ଼ ପ୍ରତିଯୋଗିତାର ସେମିଫାଇନାଲ୍ରେ ଭାରତର ଅଗ୍ରଣୀ ଧାବିକା ଦୂତୀ ଚାନ୍ଦ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ସେପଟେ ତିନି ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାର ମହିଳା ହକି କ୍ବାର୍ଟର୍ଫାଇନାଲ୍ ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ପାଇଁ ସେମି-ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଛି। ସେମି-ଫାଇନାଲ୍ରେ ଭାରତ ଆର୍ଜେଣ୍ଟିନାର ମୁକାବିଲା କରିବ । ସେହିପରି ମହିଳା ବର୍ଗ ଡିସ୍କସ୍ ଥ୍ରୋ ଆଜି ହେବ ମୁକାବିଲା । ଭାରତର କମଲପ୍ରୀତ କୌରଙ୍କ ଉପରେ ରହିଛି ସମସ୍ତଙ୍କ ନଜର । କମଲପ୍ରୀତ କୌର ଯୋଗ୍ୟତା ରାଉଣ୍ଡରେ ୬୪ ମିଟର ଡିସ୍କସ୍ ଥ୍ରୋ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଆଜି ପର୍ଯ୍ୟନ୍ତ ଫିଲ୍ଡ ଇଭେଣ୍ଟରେ କୌଣସି ଭାରତୀୟ ପଦକ ଜିତି ନାହାନ୍ତି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୮୯ ଲକ୍ଷ ୭୦ ହଜାର ୩୩୧ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୩୯ ହଜାର ୬୨୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୯୫ ଲକ୍ଷ ୯୩ ହଜାର ୯୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୫୧ ଲକ୍ଷ ୩୬ ହଜାର ୭୯୧ ଜଣ ଲୋକ ସକ୍ରିୟ ଅଛନ୍ତି ।
ଏ ପର୍ଯ୍ୟନ୍ତ ୧୩୨ ରାଷ୍ଟ୍ରରେ କରୋନା ଭାଇରସ୍ ଡେଲ୍ଟା ସଂକ୍ରମଣ ବ୍ୟାପି ସାରିଛି । ବିଶ୍ବବ୍ୟାପୀ ସଂକ୍ରମଣର ନୂଆ ଲହରକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଉଦ୍ବେଗ ପ୍ରକାଶ କରିଛି। ଡେଲ୍ଟାକୁ ନେଇ କେତେକ ରାଷ୍ଟ୍ରରେ ସ୍ଥିତି ଭୟଙ୍କର ରୂପ ନେଇଛି ଏବଂ ୨୯ଟି ରାଷ୍ଟ୍ରରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଅନେକ ରାଷ୍ଟ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ଜରୁରୀ ମେଡିକାଲ ଉପକରଣ ମଧ୍ୟ ନାହିଁ।
ଆଗାମୀ ମାସକ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ସଭାପତି ଦାୟିତ୍ବ ଭାରତ ତୁଲାଇବ। ୧ ତାରିଖ ରବିବାର ଥିବାରୁ ସୋମବାର ଫ୍ରାନ୍ସ ଠୁ ବିଧିବଦ୍ଧ ଭାବେ ଭାରତ ଏହି ଦାୟିତ୍ବ ଗ୍ରହଣ କରିବ । ଏଥିପାଇଁ ରୁଷ ଏବଂ ଫ୍ରାନ୍ସ ଭାରତକୁ ସ୍ବାଗତ କରିଛନ୍ତି । ଏହି ସମୟ ମଧ୍ୟରେ ସୁରକ୍ଷା ପରିଷଦର ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭାରତ ନେବ । ଭାରତର ଅଧ୍ୟକ୍ଷତା ସମୟରେ ସାମୁଦ୍ରିକ ସୁରକ୍ଷା, ଆଞ୍ଚଳିକ ଶାନ୍ତି ଓ ସ୍ଥିରତା, ଆତଙ୍କବାଦ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିବା ଆଦି ଫୋକସ୍ ରେ ରହିବ। ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟିଏସ୍ ତିରୁମୂର୍ତ୍ତି ଜାତିସଂଘ ମୁଖ୍ୟଙ୍କୁ ଭାରତର ରଣନୀତି ସଂପର୍କରେ ଅବଗତ କରାଇଛନ୍ତି ।
ଆମେରିକାରେ କିଛି ସପ୍ତାହ ହେଲା ଅନେକ ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି । କିଛି ଦିନ ପରେ ଆମେରିକା ପାଇଁ ବଡ ବିପଦ ଆସୁଛି । ଏନେଇ ସଜାଗ ରହିବାକୁ ହେବ । ଡେଲଟା ଭାରିଆଣ୍ଟ ସବୁଠୁ ବେଶୀ ପ୍ରଭାବିତ କରିବ : ଆମେରିକୀୟ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫାଓସି ।



