
ପୁରୀ(ଜୟକୃଷ୍ଣ ଦାସ): ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସବୁଜିମା ହିଁ ଏକମାତ୍ର ବିକଳ୍ପ। ଏହି ବାର୍ତ୍ତାକୁ ପାଥେୟ କରି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ଜାତୀୟ ବନ ମହୋତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ପ୍ରକୃତି ପ୍ରତି ଭଲପାଇବା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ବନାଥ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ ଆୟୋଜିତ ଏହି ବନ ମହୋତ୍ସବରେ ପ୍ରଥମେ ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟ ପରିସରକୁ ସଫାସୁତୁରା କରାଯାଇ ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି କରାଯାଇଥିଲା। ଏହାପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସାମିଲ ହୋଇ ବ୍ୟାପକ ବୃକ୍ଷରୋପଣ କରିଥିଲେ।
ଚଳିତ ବର୍ଷ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ଉପକାରୀ ଗଛ ଯଥା— ଝାଉଁ, ଅଁଳା, ଆକାଶିଆ, ଆତ, ପୋଲାଙ୍ଗ , ବଉଳ ଏବଂ ଜାମୁ ଆଦିର ଚାରା ରୋପଣ କରାଯାଇଥିଲା। କେବଳ ଗଛ ଲଗାଇବା ନୁହେଁ, ବରଂ ସେଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଛାତ୍ରଛାତ୍ରୀମାନେ ସଂକଳ୍ପ ଗ୍ରହଣ କରିଥିଲେ। ଅଧ୍ୟକ୍ଷ ଶ୍ରୀ ପାଢୀ ପ୍ରକୃତିର ସୁରକ୍ଷା ହିଁ ଜୀବନର ସୁରକ୍ଷା ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ସମସ୍ତଙ୍କୁ ପରିବେଶ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ପରିବେଶ ସୁରକ୍ଷା ଏବଂ ପ୍ରକୃତି ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସତ୍ୟବାଦୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ତରଫରୁ ସମ୍ମାନଜନକ ‘ପ୍ରକୃତି ମିତ୍ର’ ପୁରସ୍କାର ଲାଭ କରିଛି। ଏହି ପୁରସ୍କାର ସ୍ୱରୂପ ବିଦ୍ୟାଳୟକୁ ୨୦,୦୦୦ (କୋଡ଼ିଏ ହଜାର) ଟଙ୍କାର ଆର୍ଥିକ ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି।



