
ବାସ୍ତବବ୍ୟୁରୋ:ଆଜି ସକାଳ କେନ୍ଦୁଝର ବାସୀଙ୍କ ପାଇଁ ଲୁହଭିଜାର ସକାଳ ଥିଲା ।ପଞ୍ଚଭୂତରେ ବିଲୀନ ହୋଇଛି ଦୁଃସାହସୀ ତଥା ନିର୍ଭିକ ଯୁବ ସାମ୍ବାଦିକ ଅରିନ୍ଦମ ଦାସ। ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳା ନିକଟ ବୈତରଣୀ ନଦୀ କୂଳରେ ଅରିନ୍ଦମଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ଏହି ସମୟରେ ଶୋକାକୂଳ ପରିବେଶ ନଦେଖିଲେ ବିଶ୍ୱାସ କରି ହେବନି,ସମସ୍ତଙ୍କ ଆଖିରେ ଲୁହର ବନ୍ୟା,ଯେପରିକି ନିଜ ଆତ୍ମୀୟଙ୍କୁ ହରାଇଛନ୍ତି ସମସ୍ତେ ।
ଆଜି ଭୋର ପ୍ରାୟ ୪ଟା ୨୦ ମିନିଟ୍ରେ ଅରିନ୍ଦମଙ୍କ ମୃତଦେହ ତାଙ୍କ ପୈତୃକ ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦବୋବାଳିରେ ଫାଟି ପଡିଥିଲା ପୂରା ଗାଁ । ଏହାପରେ ଏକ ଶୋଭାଯାତ୍ରାରେ ଅରିନ୍ଦମଙ୍କ ପାର୍ଥିବ ଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ଶ୍ମଶାନରେ ଘସିପୁରା ବିଧାୟକ ବଦ୍ରି ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ସମେତ ଓଟିଭିର ବହୁ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଅଛନ୍ତି ।

୧୯୮୨ ମସିହାରେ ଅରିନ୍ଦମ କେନ୍ଦୁଝର ଜିଲ୍ଲା ରାଜନଗରରେ ଜନ୍ମଗ୍ରହଣ କରିଥିଲେ ।ସେ ୨୦୦୨ ରେ ଧରଣୀଧର ମହାବିଦ୍ୟାଲୟରେ ଅଧ୍ୟୟନ ସାରି ସାମ୍ୱାଦିକତାକୁ ପେଶା କରିଥିଲେ । କେନ୍ଦୁଝରର ପୁଅ ଭାବେ ଜିଲ୍ଲାବାସୀ ଅରିନ୍ଦମଙ୍କ ପାଇଁ ଗର୍ବ କରୁଥିଲେ । ଅରିନ୍ଦମଙ୍କୁ ହରାଇ କେନ୍ଦୁଝର ଜିଲ୍ଲାବାସୀ ମର୍ମାହତ ହୋଇ ପଡ଼ିଛନ୍ତି।ଯୁବ ସାମ୍ବାଦିକ ଅରିନ୍ଦମଙ୍କ ମୃତ୍ୟୁ ପରେ ଓଡିଶାର ସମଗ୍ର ସାମ୍ୱାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି ।
ବାସ୍ତବ ଟିଭି ପରିବାର ଅରିନ୍ଦମଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି