
ତ୍ରିନାଥ ବାରିକ(କଣାସ):କଣାସ ପଞ୍ଚାୟତ ସମିତି ସ୍ଥାନାନ୍ତର ପ୍ରସ୍ତାବ ବିପକ୍ଷରେ ଏକ ଗଣବିକ୍ଷୋଭ ସୋମବାର କଣାସ ନାଗରିକ ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଏକମାସ ତଳେ ପଞ୍ଚାୟତ ସମିତି ସ୍ଥାନାନ୍ତର ସମ୍ପର୍କରେ ପ୍ରସ୍ତାବ ଆଗତ ହେବାରୁ ତାକୁ ବିରୋଧ କରି ବିଜେପି , କଂଗ୍ରେସ , ସିପିଆଇ ( ଏମ୍ଏଲ୍ ) ଓ କଣାସ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ବାରମ୍ବାର ବୈଠକ ଅନୁଷ୍ଠିତ ହୋଇଆସୁଥିଲା ।
ଗତକାଲି ବିଭିନ୍ନ ଦଳ ପକ୍ଷରୁ ହଜାର ହଜାର ଜନସାଧାରଣ ବ୍ୟାନର , ପ୍ଲାକାର୍ଡ ଧରି ଦୋକନ୍ଦା ମେଳଣପଡ଼ିଆଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖ ସହିଦ ପଡ଼ିଆରେ ଗଣବିକ୍ଷୋଭ ଓ ପ୍ରତିବାଦ ସଭାରେ ସାମିଲ୍ ହୋଇଥିଲା । ବ୍ଳକ ସ୍ଥାନାନ୍ତରିତ ପାଇଁ କରୁଥିବା ଚେଷ୍ଟା କୁ ସଫଳ କରିଦିଆଯିବ ନାହିଁ ବୋଲି ପ୍ରତିବାଦ ସଭାରେ ଦଳଗତ ନିର୍ବିଶେଷରେ ଶପଥ ନେଇଥିଲେ ।
ଶେଷରେ ଏକ ଦାବିପତ୍ର ବିଡିଓ ଲୋଚନ ଦାସ ଓ ତହସିଲଦାର ଲକ୍ଷ୍ମୀଧର ମହାରଣାଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।ଗୋଟେ ପଟେ ବ୍ଲକ ଅଧିକାରୀ ଲୋକମତ କୁ ସମର୍ଥନ କରଥିବା ବେଳେ ଅନ୍ୟପଟେ ବିଧାୟକ ମଧ୍ୟ ସମାନ ଉତ୍ତର ରଖିଛନ୍ତି।କଣାସ ପଞ୍ଚାୟତ ସମିତି ସ୍ଥାନାନ୍ତର ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ନେଇଥିବା ନିଷ୍ପତ୍ତି ଯଥାର୍ଥ ବୋଲି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।
ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ , ଜିଲ୍ଲା ପରିଷଦ ସଦସ୍ୟ ତଥା କଣାସ ବ୍ଲକ ଅଧ୍ୟକ୍ଷ , ବ୍ଲକ ବିଜେଡି ସଭାପତି ଉପସ୍ଥିତିରେ ବିଧାୟକ ବ୍ଲକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରିଥିଲେ । ଆବଶ୍ୟକୀୟ କୋଠରି , ଭିଭିଭୂମି , ସ୍ଥାନର ଅଭାବରୁ ବ୍ଲକରେ ସଠିକ୍ ଭାବରେ ଦୈନନ୍ଦିନ କାର୍ଯ୍ୟ , ନିର୍ବାଚନ ପରିଚାଳନା , ଦୈବୀ ଦୁର୍ବିପାକ ସମୟରେ ପରିଚାଳନା ତଥା ବହୁ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ବ୍ଲକର ପ୍ରତିନିଧି ମାନେ ନିକଟସ୍ଥ ସରକାରୀ ଜମିରେ ନୂତନ କାର୍ଯ୍ୟାଳୟ ନିମନ୍ତେ ଯଥାର୍ଥ ନିଷ୍ପତ୍ତି ନେଇଛନ୍ତି ବୋଲି ବିଧାୟକ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।ତେଣୁ ଏହି ବିରୋଧ ସଭା କେବଳ ରାଜନୈତିକ ଉଦ୍ଦେଶ୍ୟ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ।