
ମନୋଜ ମହାନ୍ତି(ଭୁବନେଶ୍ୱର):ଆଜିଠାରୁ ଭୋଟର ପରିଚୟପତ୍ରରେ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ପ୍ରକ୍ରିୟା ଅଫଲାଇନ୍ ସହ ଅନଲାଇନରେ ବି ଆବେଦନ କରିହେବ । ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଥିବା ଫର୍ମରେ ସଂଶୋଧନ ହୋଇଛି । ନୂଆ ନିୟମ ଅନୁଯାୟୀ, ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଥିବା ଫର୍ମଗୁଡ଼ିକରେ କେତେକ ସଂଶୋଧନ କରାଯାଇଛି । ଭୋଟର ତାଲିକାରେ ନୂତନ ଭାବେ ନାମ ପଞ୍ଜୀକରଣ ନିମନ୍ତେ କେବଳ ଫର୍ମ ନଂ-୬ରେ ଆବେଦନ କରାଯିବ ।
ପ୍ରବାସୀ ଭାରତୀୟ ନାଗରିକମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନଂ-୬(କ)ରେ ଆବେଦନ କରି ପାରିବେ । ଫର୍ମ ନଂ-୭ କେବଳ ଭୋଟର ତାଲିକାରୁ ନାମ ବାଦ୍ ଦେବା ପାଇଁ ଉଦ୍ଦିଷ୍ଟ। ସେହିପରି ଫର୍ମ ନଂ-୮ରେ ନିର୍ବଚାନ ମଣ୍ଡଳୀ ମଧ୍ୟରେ କିମ୍ବା ଅନ୍ୟ ସ୍ଥାନ କୁ ପରିବର୍ତ୍ତନ ନିମନ୍ତେ ଆବେଦନ କରିପାରିବେ । ଭୋଟର ତାଲିକାରେ ନାମ ଥିବା ଭୋଟର ଏବଂ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବାକୁ ଥିବା ଭୋଟରମାନେ ନିଜ ତରଫରୁ ଆଧାର ବିବରଣୀ ପ୍ରଦାନ କରିବେ ।
ଏଥିପାଇଁ ଅନଲାଇନ୍ରେ ବି ଆବେଦନ କରିହେବ । ଭୋଟରମାନେ ଅନଲାଇନ୍ରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ଗରୁଡ଼, ଏନ୍ଭିଏସ୍ପି, ଭିଏଚ୍ଏ, ଭୋଟର ପୋର୍ଟାଲ ଆଦି ୱେବସାଇଟ ମାଧ୍ୟମରେ ଆଧାର ନମ୍ବର ସଂଯୋଗ କରିପାରିବେ । ଆଧାର ନମ୍ବର ଦେଲେ ପଞ୍ଜୀକୃତ ମୋବାଇଲ୍କୁ ଏକ ଓଟିପି ଆସିବ । ଏହି ଓଟିପି କୁ ଉକ୍ତ ୱେବସାଇଟ ରେ ପୂରଣ କଲେ ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗ ହୋଇଯିବ ।



