
ସଂଜୟ ଶତପଥୀ(କଟକ): ଗତ୮ ତାରିଖ ଦିନ କଟକ ପୋଲିସ୍ କମିଶନରେଟ୍ ଅଧୀନରେ ଥିବା ଲାଲବାଗ ଥାନା ଅନ୍ତର୍ଗତ ଚାନ୍ଦିନୀଚୌକ ଅଞ୍ଚଳରେ କଟକର ରଘୁନାଥଜୀୟୁ କଲେଜର ଜନୈକ ଛାତ୍ରଙ୍କୁ ସେହି ଅଞ୍ଚଳର ଜନୈକ ଅସାମାଜିକ ଯୁବକ ଏସିଡ୍ ପକାଇବା ଏବଂ ଉକ୍ତ ଛାତ୍ର ଜଣକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ନେଇ ଲାଲବାଗ ଥାନାରେ ଆହତ ଛାତ୍ରଙ୍କ ପକ୍ଷରୁ ଏତାଲା ଦାଏର ହୋଇଛି। ହେଲେ ବଡ଼ ଦୁଃଖ ର ବିଷୟ ଯେ ଏତାଲା ହେବାର ୩ ଦିନ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଗିରଫ ହୋଇପାରି ନାହିଁ।
ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଜି ରାଜ୍ୟ ହିନ୍ଦୁ ସେନା ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ଦେବାଶିଷ ରାଉତ ଙ୍କ ଆହ୍ୱାନ କ୍ରମେ କଟକର ବିଭିନ୍ନ କଲେଜର ଶତାଧିକ ଛାତ୍ର ଏକାଠି ହୋଇ ସ୍ଲୋଗାନ ଦେଇ କଟକର ମାନନୀୟ ଉପ-ଆୟୁକ୍ତ, ଆରକ୍ଷୀ ଙ୍କୁ ଆସାମୀକୁ ଆସନ୍ତା ୭ ଦିନ ମଧ୍ୟରେ ତୁରନ୍ତ ଗିରଫ କରିବା ଓ ମାନ୍ୟବର ଉଚ୍ଚନ୍ୟାୟାଳୟର ବାରଣ ସତ୍ତ୍ୱେ ଏସିଡ୍ ବିକ୍ରି କରିଥିବା ବ୍ୟବସାୟୀ ଙ୍କୁ ଗିରଫ କରି କଠୋର ଦଣ୍ଡ ଦେବା ଦାବିରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ହିନ୍ଦୁସେନାର ମୂଖ୍ୟ ଉପଦେଷ୍ଟା ଶ୍ରୀ ସଞ୍ଜିତ୍ ସାମଲ, ଶ୍ରୀ ଅଭିଷେକ ଜେନା, ଛାତ୍ର ନେତା ଶ୍ରୀ ଶୁଭମ୍ ନାୟକ, ଛାତ୍ର ନେତା ଶ୍ରୀ ରାହୁଲ ପ୍ରଧାନ ଓ କଟକର ବିଭିନ୍ନ କଲେଜର ଶତାଧିକ ଛାତ୍ର ଯୋଗଦେଇ ଯଦି ଏହାର ସମାଧାନ ଆସନ୍ତା ୭ ଦିନ ମଧ୍ୟରେ ନ ହୁଏ ତେବେ ସମସ୍ତ ଛାତ୍ର ସମାଜ ଏକାଠି ହେବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି।



