
ବାସ୍ତବ ବ୍ୟୁରୋ : ଆଜି(ସୋମବାର) ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିଲାଗି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଲ୍ଇଡି ଲଗାଯାଇଛି। ଧୁଷୁରୀ, ଅସୁରାଳି, ଦୋବଲ, ଧାମନମଗର ଓ ତିହିଡ଼ିର ୧୩ଟି ସ୍ଥାନରେ ଏଲ୍ଇଡି ଲଗାଯାଇଛି। ଏଥିରେ ଯୋଗଦେବା ଲାଗି ଦଳ ପକ୍ଷରୁ ମହିଳାମାନଙ୍କୁ କୁହାଯାଇଛି।
୩ ତାରିଖରେ ଧାମନଗର ଉପନିର୍ବାଚନ ଭୋଟ୍, ୬ରେ ଗଣତି । ୧ ତାରିଖ ସନ୍ଧ୍ୟାରେ ସରିବ ପ୍ରଚାର । ଧାମନଗର ବ୍ଲକର ୪୪ ପଞ୍ଚାୟତ, ତିହିଡି ବ୍ଲକର ୧୩ ପଞ୍ଚାୟତ ଓ ଧାମନଗର ଏନଏସିର ୧୩ଟି ୱାର୍ଡରେ ଚାଲିଛି ଜୋରଦାର ପ୍ରଚାର । ଭୋଟକୁ ମଝିରେ ୨ ଦିନ ଥିବା ବେଳେ ଜୋରଦାର ପ୍ରଚାରରେ ଲାଗି ପଡିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ସବୁ ଦଳର ଆଗ ଧାଡ଼ିର ନେତା ଧାମନଗରରେ ଡେରା ପକାଇ ସହ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନ ମାରାଥନ୍ ପ୍ରଚାର କରିଯିବା ପରେ ବିଜେପି ଶିବିର ଏବେ ଉତ୍ସାହିତ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କୀ ବାତ’ କାର୍ଯ୍ୟକ୍ରମ ଜରିଆରେ ପ୍ରଚାର କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ରାଜ୍ୟ ସଭାପତି ସମୀର ମହାନ୍ତି ଲୋକଙ୍କ ଗହଣରେ ରହି ମନ କୀ ବାତ୍ ଶୁଣାଇଛନ୍ତି । ବିଜେଡିର ହେଭିୱେଟ୍ ନେତାମାନେ ମଧ୍ୟ ରୋଡ୍ ଶୋ’ଓ ଡୋର ଟୁ ଡୋର କ୍ୟାମ୍ପେନିଂ କରି ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କ ଲାଗି ଭୋଟ ମାଗିଛନ୍ତି । ତେବେ ଧାମନଗର ର ୨୪ଟି ପଞ୍ଚାୟତର ଭୋଟ୍ ଉପରେ ବିଜେଡ଼ି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଛି । ସେହିଭଳି କଂଗ୍ରେସର ପ୍ରଚାର ମଇଦାନରେ ଦଳୀୟ ଉପସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଦେଖିବାକୁ ମିଳିଥିଲା ।



