
ପ୍ରଶାନ୍ତ ଦାସ(ବାଲେଶ୍ବର): ଆଇସିୟୁରେ ଭର୍ତ୍ତି ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଗତ ସପ୍ତାହେ ହେଲା ସାଂସଦ ଶ୍ରୀ ଷଡ଼ଙ୍ଗୀ ଜ୍ବରରେ ପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଆଜି (ସୋମବାର) ଅପରାହ୍ନରେ ବାଲେଶ୍ବର ଜିଲ୍ଲା ବଡ଼ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷିଣ ନଜର ରଖିଛନ୍ତି ଡାକ୍ତରୀ ଟିମ୍।
ସାଂସଦ ପ୍ରତାପ ଷଡ଼ଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି ହେବାର ଖବର ପାଇ ବହୁ ବ୍ୟକ୍ତି ସେଠାରେ ପହଞ୍ଚିଛନ୍ତି । ସୂଚନାନୁଯାୟୀ, ୪ ଦିନ ତଳେ ମଧ୍ୟ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଉ ଗଳା ଓ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ଔଷଧ ଦିଆଯାଇଥିଲା । ଏହାପରେ ସେ ଘରକୁ ଫେରିଯାଇଥିଲେ। ତେବେ ଆଜି ପୁଣି ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନ୍ର ନବୀକରଣ କାମର ଶିଳାନ୍ୟାସ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶ୍ରୀ ଷଡଙ୍ଗୀ। ପରେ ସେ ପୁରୀ-ଜଳେଶ୍ୱର ଏମ୍ଇଏମ୍ୟୁ ଟ୍ରେନ୍ରେ ବାଲେଶ୍ୱର ଫେରିଥିଲେ। ସେହି ଦିନ ସେ ଅସୁସ୍ଥ ହୋଇଥିଲେ। ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା। ଡାକ୍ତରଙ୍କ ପରାମର୍ଶରେ ସେ ମେଡ଼ିସିନ୍ ଖାଇଥିଲେ। ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା।