
ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ସକାଳେ ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ଘଟିଛି। ସେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ତାଙ୍କ ପୋଷ୍ଟମର୍ଟମ ଦିଲ୍ଲୀର ଡିନ୍ ଡାୟାଲ୍ ହସ୍ପିଟାଲରେ କରାଯିବ। ବର୍ତ୍ତମାନ ତାଙ୍କ ମୃତଦେହକୁ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ମୁମ୍ବାଇକୁ ନିଆଯିବ।
ସେ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ। ବହୁ ଚଳଚ୍ଚିତ୍ର ଲାଗି ସେ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ।
ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଦୀର୍ଘ ୪୫ ବର୍ଷର ବନ୍ଧୁତ୍ୱରେ ପୂର୍ଣ୍ଣଛେଦ ପଡ଼ିଛି ବୋଲି କହିଛନ୍ତି ଅନୁପମ ଖେର।
ମାର୍ଚ୍ଚ ୭ ରେ ସତୀଶ କୌଶିକ ଜାନକୀ କୁଟିର ଜୁହୁରେ ଜାଭେଦ ଅଖତରଙ୍କ ଦ୍ୱାରା ଆୟୋଜିତ ହୋଲି ପାର୍ଟିରେ ଯୋଗ ଦେଇଥିଲେ | ସେ ଏହି ଉତ୍ସବର ଫଟୋ ଟ୍ୱିଟ୍ କରିଥିଲେ ଯେଉଁଥିରେ ସେ ଫିଟ୍ ଦେଖାଯାଉଥିଲେ।
ସତୀଶ କୌଶିକ ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା। କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଓ ପୁନେର ଏଫ୍ଟିଆଇଆଇରେ ଅଧ୍ୟୟନ କରିଥିଲେ। ବଲିଉଡ୍ ଫିଲ୍ମ ମିଷ୍ଟର ଇଣ୍ଡିଆ, ଦିୱାନା ମସ୍ତାନା, ରାମ୍ଲକ୍ଷ୍ମଣ, ସାଜନ୍ ଚଲେ ଶଶୁରାଲ ଆଦି ଛବିରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ସେ ଦୁଇଥର ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ।
ଶ୍ରୀଦେବୀଙ୍କ ଅଭିନୀତ ରୂପ କି ରାନୀ, ଚୋରୋଁକା ରାଜା ଚଳଚ୍ଚିତ୍ରରୁ ସେ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ପ୍ରେମ୍, ହମ୍ ଆପ୍କେ ଦିଲ୍ ମେଁ ରେହତେ ହେଁ, ୱାଦା, ତେରେ ନାମ୍ ଓ ତେରେ ସଙ୍ଗ ଆଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ସମ୍ପ୍ରତି ସେ ରାଜଶ୍ରୀ ପ୍ରଡକ୍ସନର ବହୁଚର୍ଚ୍ଚିତ ଚଳଚ୍ଚିତ୍ର ତାନ୍ସେନ୍ ନିର୍ମାଣରେ ବ୍ୟସ୍ତ ଥିଲେ।
ସତୀଶ ୧୦ରୁ ଊର୍ଦ୍ଧ୍ୱ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ଅଭିନୟର ଛାପ ଛାଡି ଯାଇଛନ୍ତି।‘ରାମ ଲଖନ’ ଏବଂ ‘ସାଜନ ଚଲେ ସସୁରାଲ’ ଫିଲ୍ମରେ ଅଭିନୟ ଲାଗି ତାଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ କମେଡିଆନ ପୁରସ୍କାର ମିଳିଥିଲା। ୧୯୮୩ର ଫିଲ୍ମ ‘ଜାନେ ଭି ଦୋ ୟାରୋ’ର ସେ ସଂଳାପ ଲେଖକ ଥିଲେ। ‘ହମ ଆପ କେ ଦିଲ୍ ମେ ରେହତେ ହେଁ’ ଥିଲା ତାଙ୍କର ପ୍ରଥମ ନିର୍ଦେଶିତ ଫିଲ୍ମ। ତାଙ୍କର ଶେଷ ଫିଲ୍ମ ଥିଲା ‘ଛତ୍ରିୱାଲି’। ତାଙ୍କର ବିୟୋଗରେ ଭାରତୀୟ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।