
ନିରଞନ ବସ୍ତିଆ(ଶ୍ଚିନ୍ତକୋଇଲି) : ଶୁକ୍ରବାର ଅପରାହ୍ନରେ ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ଲୁଣାନଦୀ ସେତୁର ମଧ୍ୟଭାଗରେ ଯାଉଥିବା ସମୟରେ ବଜ୍ରାଘାତ ଯୋଗୁ ଜଣେ ଚାଷୀଙ୍କର ଅକାଳ ବିୟୋଗ ଘଟିଛି ।
ନେମାଳ ପଞ୍ଚାୟତ କଣ୍ଟାପାରୀ ଗ୍ରାମର ସୂର୍ଯ୍ୟେନ୍ଦୁ ଶେଖର ସାହୁ (ବୁଲା) ୫୫ ବର୍ଷ ନିଶ୍ଚିନ୍ତକୋଇଲି ହାଟକୁ ଚାଉଳ ବିକ୍ରି କରିବା ପାଇଁ ସାଇକେଲ ଯୋଗେ ଯାଉଥିଲେ । ଲୁଣାନଦୀ ସେତୁ ପାର ହେଉଥିଲା ବେଳେ ହଠାତ୍ ବଜ୍ରାଘାତ ତାଙ୍କ ଉପରେ ହେବାରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ବଜ୍ରାଘାତର ପ୍ରଭାବରେ ନଦୀର ସେତୁ କଂକ୍ରିଟ୍ ଚୁର୍ମାର ହୋଇଥିବା ବେଳେ ସାଇକେଲଟି ମଧ୍ୟ ଭାଙ୍ଗିରୁଜି ଯାଇଛି ।
ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ବେଳେ ନିଶ୍ଚିନ୍ତକୋଇଲି ପୋଲିସ ଶବକୁ ଜବତ କରି ତଦନ୍ତ କରୁଛି । ଏଭଳି ଦୁଃଖଦ ଘଟଣାରେ ଏ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ବୁଲା ଜଣେ ଗରିବ ଚାଷୀ ମୂଲିଆ ଶ୍ରେଣୀର ହୋଇଥିବା ଏବଂ ତାଙ୍କର ପତ୍ନୀ ଓ ଦୁଇଟି ଝିଅ ଏବେ ଅସହାୟ ହୋଇପଡିଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।