
ନିରଞ୍ଜନ ବସ୍ତିଆ (ନିଶ୍ଚିନ୍ତକୋଇଲି) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତ କୁଆଁଡୋଳ ଗ୍ରାମର ଶଙ୍କର୍ଷଣ ସାହାଣୀଙ୍କ କନିଷ୍ଠ ପୁତ୍ର ଲକ୍ଷ୍ମୀଧର ସାହାଣୀ (୨୧)ଙ୍କ ବାଲେଶ୍ୱର ଜିଲ୍ଲା ବାହାନାଗା ରେଳଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସୁଦୁର ବାଲେଶ୍ୱରରୁ ତାଙ୍କର ଜଣେ ସାଙ୍ଗଙ୍କ ଘରକୁ ଯାଇ କଟକ ଫେରୁଥିବା ବେଳେ ଏହି ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଗ୍ରାମରେ ଲକ୍ଷ୍ମୀଧରଙ୍କ ମୃତ ଦେହ ପହଂଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।
ଖବର ପାଇ ସ୍ଥାନୀୟ ଅଂଚଳର ହଜାର ହଜାର ଲୋକେ ବାସ ଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ଏକ ଶୋଭାଯାତ୍ରାରେ ତାଙ୍କର ମର ଶରୀରକୁ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ଖବର ପାଇ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପୂର୍ବତନ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ସରପଂଚ ପ୍ରଦୀପ୍ତ ପରିଡା, ପୂର୍ବତନ ସରପଂଚ ରବିନ୍ଦ୍ର ତ୍ରିପାଠୀ, ଯୁବନେତା ମନୋଜ ସେଠୀ, ବ୍ରଜମୋହନ ପଣ୍ଡାଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଶବଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶୋକାକୂଳ ପରିବେଶରେ ଗ୍ରାମ୍ୟ ଶ୍ମଶାନରେ ଶବ ଦାହ କରାଯାଇଥିଲା ।



