ବାସ୍ତବ ବ୍ୟୁରୋ: କେନ୍ଦ୍ର ସରକାର ଆରମ୍ଭ କଲେ ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲ । ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଆଜି (ଗୁରୁବାର) ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ‘ଷ୍ଟଡି ଇନ୍ ଇଣ୍ଡିଆ’(ଏସଆଇଆଇ) ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଉକ୍ତ ପୋର୍ଟାଲ ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ଯାତ୍ରାକୁ ସହଜ କରିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି “ଶିକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ପୋର୍ଟାଲ ପ୍ରସ୍ତୁତ ହୋଇଛି । ଷ୍ଟଡି ଇନ୍ ଇଣ୍ଡିଆ ପୋର୍ଟାଲ ଭାରତରେ ପାଠ ପଢୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଓ ଭିସା ଆବେଦନ ସହ ଗୋଟିଏ ପ୍ଲାଟଫର୍ମରେ ସବୁ ସମସ୍ୟାର ସମାଧାନ ହେବ । ଏହି ପୋର୍ଟାଲରେ ବିଦେଶରୁ ଆସି ଭାରତରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ଡାଟା ବ୍ୟାଙ୍କ୍ ରହିବ, ଯାହା ମାଧ୍ୟମରେ ଭାରତକୁ ଆସୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଗସୂତ୍ର ରକ୍ଷା କରିପାରିବେ । ଷ୍ଟଡି ଇନ୍ ଇଣ୍ଡିଆ ଭାରତ ସରକାରଙ୍କ ଏକ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ, ଯାହା ସରକାରଙ୍କ ମଧ୍ୟରେ ନୀତିଗତ ଓ ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତାକୁ ମଜଭୁତ୍ କରିବ ଓ ଯୁବବର୍ଗଙ୍କୁ ବୈଶ୍ୱିକ ନେତୃତ୍ୱ ଭାବରେ ପ୍ରତିଷ୍ଠା କରିବ ।”