ବାସ୍ତବ ବ୍ୟୁରୋ: ପଶ୍ଚିମବଙ୍ଗ ନ୍ୟୁ ଜଲପାଇଗୁଡିରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ଫଳରେ ଟ୍ରେନ୍ର ତିନୋଟି ବଗି ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହୋଇଛି।
ଏନଜେପିରୁ ସିଆଲଦା ଅଭିମୁଖେ ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଲିଗୁଡ଼ି ଅତିକ୍ରମ କରିବା ପରେ ରଙ୍ଗପନୀର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରେନ୍ ର ପଛଭାଗରେ ଥିବା ୩ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ମାଲବାହୀ ଟ୍ରେନର ଲୋକୋ ପାଇଲଟଙ୍କ ମଧ୍ୟ ମୃତ୍ୟୁ ଘଟିଛି।
ରେଳବାଇପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ୨ଟି ପାସେଞ୍ଜର ବଗି ଓ ଗୋଟିଏ ପାର୍ସଲ ବଗି କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇପାରନ୍ତି ବୋଲି କୁହାଯାଉଛି। ଘଟଣାସ୍ଥଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ସତର୍କ ରଖାଯାଇଛି। ତେବେ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ରେଲୱେ ବୋର୍ଡ ଅଧ୍ୟକ୍ଷ।
‘ପ୍ରାଥମିକ ଅନୁସନ୍ଧାନରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଜଣାପଡ଼ିଛି। ସିଗନାଲ ସତ୍ତ୍ୱେ ଡ୍ରାଇଭର ଗାଡ଼ି ଅଟକାଇ ନଥିଲେ। ପଛ ଗାଡ଼ି ଅଟକିବାର ଥିଲା, କିନ୍ତୁ ଡ୍ରାଇଭର ଅଟକାଇ ନଥିଲେ। ସିଗ୍ନାଲ ମାନି ନଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଜୟା ବର୍ମା ସିହ୍ନା।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଲେଖିଛନ୍ତି, “ଏନଏଫଆର ଜୋନରେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ଘଟିଛି । ଯୁଦ୍ଧକାଳୀନ ସ୍ତରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେଳବାଇ, ଏନଡିଆରଏଫ ଓ ଏସଡିଆରଏଫ ମିଳିତ ଭାବେ କାମ କରୁଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସେପଟେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିବା ବେଳେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଗୁରୁତରଙ୍କୁ ଅଢ଼େଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।



