ବାସ୍ତବ ବ୍ୟୁରୋ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ବିଳମ୍ୱିତ ରାତିରେ ଛୁରାମାଡ କରାଯାଇଛି। ଛୁରାମାଡରେ ସେ ଗୁରୁତର ଆହତ ହୋଇ ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନାନୁଯାୟୀ, ବାନ୍ଦ୍ରା ୱେଷ୍ଟରେ ଥିବା ଘରେ ସୈଫ ଅଲ୍ଲୀ ଖାନଙ୍କ ଘରେ ବିଳମ୍ୱିତ ରାତିରେ ଚୋରୀ କରିବା ଉଦ୍ଦେଶ୍ୟରେ ଜଣେ ଚୋର ପଶିଥିଲା । ତେବେ ଏହି ସମୟରେ ଚୋରଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ସୈଫ୍ । ଠିକ୍ ସେହି ସମୟରେ ସୈଫଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ମାରିଥିଲା ଦୁର୍ବୃତ୍ତ ।
ମୁମ୍ଵାଇ ପୋଲିସ୍ ଏବେ ମାମଲାର ଯାଞ୍ଚ କରୁଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି । କରୀନା ଓ ତାଙ୍କ ଦୁଇ ପିଲା ସୁରକ୍ଷିତ ଅଛନ୍ତି। ପରିବାର ପକ୍ଷରୁ ଏ ବିଷୟରେ କୌଣସି ବୟାନ ଆସିନାହିଁ ।
କ୍ରାଇମବ୍ରାଞ୍ଚ ଟିମ୍ ସୈଫଙ୍କ ଘରେ କାମ କରୁଥିବା ତିନି ଜଣ କର୍ମଚାରୀଙ୍କୁ ଅଟକ ରଖିଛି। ସୁରକ୍ଷା କର୍ମୀମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। କର୍ମଚାରୀଙ୍କ ମୋବାଇଲ୍ ଜବତ କରାଯାଇଛି। ପୋଲିସ କହିଛି ଯେ ଜଣେ ଅଜଣା ବ୍ୟକ୍ତି ଅଭିନେତାଙ୍କ ବାସଭବନରେ ପ୍ରବେଶ କରି ହାଉସ୍ ହେଲପରଙ୍କ ସହ ଯୁକ୍ତିତର୍କ କରିଥିଲେ। ଯେତେବେଳେ ଅଭିନେତା ଜଣକ ହସ୍ତକ୍ଷେପ କରି ବ୍ୟକ୍ତିଙ୍କୁ ଶାନ୍ତ କରିବାକୁ ଚେଷ୍ଟା କଲେ। ସେତେବେଳେ ସୈଫଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ସମ୍ପର୍କରେ ପୋଲିସ ହାଉସ୍ ହେଲପରଙ୍କ ବୟାନ ନେଉଛି।